ଦୁଇ ଶିଶୁକନ୍ୟାଙ୍କ ଅସ୍ୱାଭାବିକ ମୃତ୍ୟୁ: ସର୍ପାଘାତ ସନ୍ଦେହ

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ଆଜି ଦୁଇ ଜଣ ଶିଶୁକନ୍ୟାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି | ଏମାନଙ୍କ ମୃତ୍ୟୁ ସର୍ପାଘାତ ଯୋଗୁଁ ହୋଇଥିବାର ସନ୍ଦେହ କରାଯାଉଛି | ମିଳିଥିବା ସୂଚନା ମୁତାବକ ଚିକିଟାମାଟିଆ ଗ୍ରାମର ହିତୁଡ଼ ବିନ୍ଧାଣୀଙ୍କ ତିନି ବର୍ଷର ଝିଅ ତନୁ ବିନ୍ଧାଣୀ ଆଜି ଘର ପାଖରେ ବୁଲାବୁଲି କରି ଘରକୁ ଫେରି ଅସୁସ୍ଥ ହୋଇପଡି ଗୁରୁତର ହୋଇପଡ଼ିଥିଲା । ଘର ଲୋକେ ଜାଣିବା ବେଳକୁ ଝିଅର ଗୋଡ଼ରୁ ରକ୍ତ ବାହାରୁଥିଲା । ତେବେ ପରିବାର ଲୋକେ ସଙ୍ଗେସଙ୍ଗେ ଝିଅକୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମୋରଡା ଡାକ୍ତରଖାନାକୁ ନେଇଯାଇଥିଲେ । ତେବେ ଡାକ୍ତରଖାନାରେ ପହଞ୍ଚିବାବେଳକୁ ଝିଅଟି ଅଚେତ ହୋଇପଡିଥିଲା ଏବଂ ଝିଅଟିର ମୃତ୍ୟୁ ଘଟିଯାଇଥିବାର ଡାକ୍ତର କହିଥିଲେ । ଖବର ପାଇ ଘଟଣାସ୍ଥଳରେ ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ଜଣାପଡିଛି । ଯାହାକୁ ନେଇ ମୋରଡା ଥାନାରେ ୨୬/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି।

ତନୁଶ୍ରୀଙ୍କୁ ବିଷାକ୍ତ ସାପ କାମୁଡି ଥାଇପାରେ ବୋଲି ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ | ସେହିପରି ଅନ୍ୟ ଏକ ଘଟଣାରେ ମୋରଡା ଥାନା ଅନ୍ତର୍ଗତ ଟିଆସିଁ ଗ୍ରାମର ଚାରି ବର୍ଷର ଶିଶୁ କନ୍ୟା ଭୂମିକା ନାୟକ ମଧ୍ୟ ଅସୁସ୍ଥ ହୋଇପଡିଥିଲେ | ତାଙ୍କ ବାପା ଭଗ ନାୟକ ସଙ୍ଗେ ସଙ୍ଗେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। କିନ୍ତୁ ସେଠାରେ ଡ଼ାକ୍ତର ଚାରି ବର୍ଷର ଭୂମିକାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ମୋରଡା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏନେଇ ମୋରଡା ଥାନାରେ ୨୭/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ। ତେବେ ଭୂମିକାଙ୍କୁ ବିଷାକ୍ତ ସାପ କାମୁଡିଥାଇପାରେ ବୋଲି ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Spread the love