ଲଗାଣ ବର୍ଷାରେ ତାଳସାରୀ ବେଳାଭୂମିରେ କୂଳଖାଉଛି ସମୁଦ୍ର: ୩ ଗାଁ ସମେତ ୩ଟି ହୋଟେଲ ବିପଦ ଘେରରେ

ଚନ୍ଦନେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ମନୋରମ ବେଳାଭୂମି ତାଳସାରୀର ପଶ୍ଚିମପଟକୁ ସମୁଦ୍ରକୂଳ ଖାଉଛି। ଫଳରେ ସମୁଦ୍ରର ଉଚ୍ଚ ଜୁଆର ଆସି ସୁଉଚ୍ଚ ବାଲି ସମୁଦ୍ରସ୍ରୋତରେ ଭାସି ଯାଉଛି। ଏଥିଯୋଗୁ ୩ଟି ଗାଁ ଓ ବେଳାଭୂମିରେ ଥିବା ୩ଟି ହୋଟେଲ ବିପଦ ଘେରରେ ରହିଛି।
ଗତ ୨ ଦିନ ଧରି ଲଗୁଚାପ ଜନିତ ଲଗାଣ ବର୍ଷା ଓ ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରରେ ଜୁଆର ଆସିବା ସହିତ ଉଚ୍ଚ ଲହଡ଼ି କୂଳରେ ମାଡ଼ ଖାଉଛି। ୧୦ରୁ ୧୨ ଫୁଟ ଉଚ୍ଚର ଜୁଆର ଦେଖା ଦେଇଛି। ଯାହାଫଳରେ ତାଳସାରୀ ଜେଟି ଉପରେ ପାଣିର ଲହଡ଼ି ଭାଙ୍ଗୁଛି। ଉଚ୍ଚ ଜୁଆର ମାଡ଼ରେ ତାଳସାରୀର ପଶ୍ଚିମପଟରେ ଥିବା ସୁଉଚ୍ଚ ବାଲି ଆଡିଆ ଗୁଡିକ ସମୁଦ୍ର ପାଣିରେ ଧୋଇ ହୋଇ ଯିବା ଯୋଗୁଁ କୃଷ୍ଣ ନଗର, କନ୍ୟାନଗରୀ, ବିନ୍ଧାପଦ୍ମପୁର ଗ୍ରାମ ପ୍ରତି ବିପଦ ଦେଖା ଦେଇଛି। ଏଠାରେ ବସବାସ କରୁଥିବା ହଜାର ହଜାର ଲୋକ ଆତଙ୍କିତ ହୋଇପଡିଛନ୍ତି।

ସେହିଭଳି ବାଲେଶ୍ୱରର କସାଫଳ ମୁହାଣରୁ ମାଛ ମାରିବାକୁ ବାହାରିଥିବା ମା ହିଙ୍ଗୁଳା ଟ୍ରଲର ୬ ଦିନ ପୂର୍ବରୁ ଅଗଭୀର ସମୁଦ୍ର ମଧ୍ୟ୍ୟକୁ ମାଛ ମାରିବାକୁ ବାହାରିଥିବା ବେଳେ ଗତକାଲି ରାତିରେ ପ୍ରବଳ ଜୁଆର ଓ ପବନ ମାଡ଼ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଦୟପୁର ବେଳାଭୂମି ସଂଲଗ୍ନ ପଶ୍ଚିମବଙ୍ଗର ଦିଘା ନିକଟବର୍ତ୍ତୀ ଦତ୍ତପୁର ବେଳାଭୂମିରେ ଲାଗିଛନ୍ତି। ଉକ୍ତ ଟ୍ରଲରରେ ଥିବା ୧୩ ଜଣ ମତ୍ସଜୀବୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏହି ମତ୍ସଜୀବୀମାନେ ହେଲେ କସାଫଳର ଶଙ୍କର ମୁର୍ମୁ, ଅଜୟ ଜେନା, ଅବନୀ ବେହେରା, ପୂର୍ଣଚନ୍ଦ୍ର ପାଣିଆଡିଆ, ସିଂରାୟ, ସରୋଜ ରଞ୍ଜନ ମୁର୍ମୁ, ପାପୁନ ବେହେରା ପ୍ରମୁଖଙ୍କୁ ଉଦ୍ଧାର କରିଥିବା ବେଳେ ପାପୁନ ବେହେରା, ଅଜୟ ଜେନା ଓ ଶଙ୍କର ମୁର୍ମୁ ଗୁରୁତର ଆହତ ହୋଇଛନ୍ତି। ଦିଘା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି।

Spread the love