ଆଖୁଆପଦାରେ ବିପଦ ସଙ୍କେତ ଲଂଘିଲା: କଣ୍ଟିଘାଇ ଉପରେ ୧୦ ଫୁଟ୍‌ର ବନ୍ୟାଜଳ

ଭଦ୍ରକ/ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧: ବୈତରଣୀରେ ବଡ଼ଧରଣର ବନ୍ୟା ଆସିଛି। ଭଦ୍ରକ ଜିଲ୍ଲା ଆଖୁଆପଦା ବ୍ୟାରେଜ୍‌ରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏଠାରେ ବନ୍ୟାଜଳ ୧୯.୨୩ ମିଟର ଉପରେ ପ୍ରବାହିତ ହେଉଛି। ତିନି ଦିନ ତଳେ ଶୁଖିଲା ପଡ଼ିଥିବା ବୈତରଣୀ ହଠାତ୍‌ ବୁଧବାରଠାରୁ ଫୁଲିବା ଆରମ୍ଭ କରିଥିଲା। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ଆଖୁଆପଦାଠାରେ ବିପଦ ସଂକେତ ସ୍ତର ଅତିକ୍ରମ କରି ଘଣ୍ଟା ପ୍ରତି ୧୧ମିମି ବେଗରେ ବୃଦ୍ଧି ପାଉଛି। ନଦୀରେ ବନ୍ୟା ଜଳସ୍ତର ସର୍ବାଧିକ ୨୦.୫ ମିଟରକୁ ଛୁଇଁପାରେ ବୋଲି ଜଳସଂପଦ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିବା ଫଳରେ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖାଲୁଆ ଅଞ୍ଚଳରେ ବନ୍ୟାଜଳ ମାଡ଼ି ଯାଇଥିବା ବେଳେ ନଦୀକୂଳିଆ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

ବୈତରଣୀ ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ସର୍ବାଧିକ ୨୬୪ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ସ୍ବାମପାଟଣାରେ ୧୭୦.୨ ମିମି, କେନ୍ଦୁଝରରେ ୧୪୪.୦୮ ମିମି, ଚମ୍ପୁଆରେ ୧୧୧.୦୪ ମିମି, ଆନନ୍ଦପୁରରେ ୯୬.୦୨ ମିମି ଓ ଆଖୁଆପଦାରେ ୬୮.୦୮ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ୍‌ର ପାଟୁଲିରୁ ମୋବାରକପୁର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ବନ୍ତ ବ୍ଲକ୍‌ ଟିଲୋ ପଞ୍ଚାୟତ ବଉଳସାହି ଗ୍ରାମର ନରୋତ୍ତମ ରାଉତଙ୍କ ଉପରେ ଗଛ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରକାଶ କରିଛନ୍ତି।

ଭଣ୍ତାରିପୋଖରୀ ଅଞ୍ଚଳରେ ଗତ ୨୪ଘଣ୍ଟା ମଧ୍ୟରେ ୭୨ମିମି ବର୍ଷା ହୋଇଥିବା ବେଳେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। କଣ୍ଟିଘାଇ ଉପରେ ୧୦ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇ ଜନବସତିକୁ ଘେରି ରହିଛି। ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାସ, ଥାନା ଅଧିକାରୀ ତପନ ପ୍ରଧାନ ଆଜି ବନ୍ୟା‌ଞ୍ଚଳ ଗସ୍ତ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ମଣିନାଥପୁର ବନ୍ୟା ଆଶ୍ରୟସ୍ଥଳୀ ଓ ବନ୍ଦାଳୋ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ବନ୍ୟା‌ଞ୍ଚଳ ମାଳଦା ଓ ବନ୍ଦାଳୋକୁ ଦୁଇଟି ବୋଟ୍‌ ପଠାଯାଇଛି। ସେପଟେ ବନ୍ୟା‌ଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ ଓ ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି। ବନ୍ୟା ମୁକାବିଲା ପାଇଁ ଭଣ୍ଡାରିପୋଖରୀ ବ୍ଲକ୍‌ର ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରିଗାଁ, ବାଲିପୋଖରୀ, ରଣଜିତ, ଝୁଟୁଣା, ବନ୍ଦାଳୋ-ମଢିଆଳି ପଞ୍ଚାୟତର ସରପ‌ଞ୍ଚମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ସମସ୍ତ ପଞ୍ଚାୟତ ଗୋଦାମରେ ଚାଉଳ, ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା ବେଳେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପ୍ରତିଷ୍ଠା କରାଯାଇଛି। ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଶଙ୍କର୍ଷଣ ବେହେରା, ସହକାରୀ ଯନ୍ତ୍ରୀ କେଶବଚନ୍ଦ୍ର ବେହେରା, କନିଷ୍ଠଯନ୍ତ୍ରୀ ସୁଶାନ୍ତ ଦାସ ପ୍ରମୁଖ ନଦୀବନ୍ଧ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Spread the love