ମା’ଙ୍କୁ ମୁଖାଗ୍ନି ଦେବାକୁ ବାରଣ କଲେ ବାପା: ସ୍ବର୍ଗଦ୍ବାରରୁ ନିରାଶ ହୋଇ ଫେରିଲେ ୩ ପୁଅ

ପୁରୀ: ୩ ପୁଅ ଓ ୩ ଝିଅଙ୍କ ଲାଳନ ପାଳନରେ କୌଣସି ଅବହେଳା କରି ନଥିଲେ। ମାତ୍ର ଯେତେବେଳେ ମୁଣ୍ଡକୁ ହାତ ପାଇଗଲା, ସ୍ତ୍ରୀକୁ ନେଇ ପୁଅମାନେ ଅନ୍ୟତ୍ର ରହିଲେ। ଝିଅମାନେ ମଧ୍ୟ ସେମାନଙ୍କ ଘର ସଂସାରରେ ବ୍ୟସ୍ତ ରହିଲେ। ବିଚରା ଛଅଟି ସନ୍ତାନର ବାପା ଓ ମା’ ଏକୁଟିଆ ହେବା ସହ ନିର୍ଯାତିତ ହେଲେ। ତେଣୁ ବାପା-ମା’ କୋର୍ଟରେ ସତ୍ୟପାଠ କଲେ ଯେ ‘ଆମର ମୃତ୍ୟୁ ପରେ କୌଣସି ପୁଅ ମୁଖାଗ୍ନି ଦେବେନାହିଁ କି ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ ନାହିଁ’। ସେୟା ହିଁ ହେଲା। ମା’ଙ୍କ ମୃତ୍ୟୁ ଖବର ପାଇ ୩ପୁଅ ସ୍ବର୍ଗଦ୍ବାରକୁ ଆସିଥିଲେ ମଧ୍ୟ ବାପାଙ୍କଠାରୁ ଏହି ସତ୍ୟପାଠକୁ ଦେଖି ନିରାଶ ହୋଇ ଫେରିଥିଲେ। ଫଳରେ ମହିଳାଙ୍କୁ ତାଙ୍କ ଭଣଜା ମୁଖାଗ୍ନି ଦେଇଥିଲେ। ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି।

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁକୁଟେଶ୍ବର ମନ୍ଦିର ପାଖରେ ରହୁଥିବା ଅର୍ଜୁନ ବେହେରା ଜଣେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ। ତାଙ୍କର ତିନି ପୁଅ ଓ ତିନି ଝିଅ। ସେ ଓ ତାଙ୍କ ପତ୍ନୀ ପଦ୍ମାବତୀ ବେହେରା ମିଶି ସ୍ବଳ୍ପ ବେତନରେ ୬ଟି ପିଲାଙ୍କ ଯଥାସମ୍ଭବ ଲାଳନ ପାଳନ କରିଥିଲେ। କିନ୍ତୁ କାଳକ୍ରମେ ତିନି ଝିଅ ଓ ତିନି ପୁଅ ବିବାହ କରିବା ପରେ ଅର୍ଜୁନ ଓ ପଦ୍ମାବତୀଙ୍କର ସମସ୍ୟା ଆରମ୍ଭ ହୋଇଯାଇଥିଲା। ପତ୍ନୀମାନଙ୍କୁ ନେଇ ତିନି ପୁଅ ଅନ୍ୟତ୍ର ଚାଲିଯାଇଥି‌ବା ବେ‌ଳେ ବାପା-ମା’ଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ତେଣୁ ଏହି ନିର୍ଯାତନା ସହ୍ୟ କରି ନପାରି ଦୁହେଁ ଗତ ୨୦୨୦ ମସିହା ନଭେମ୍ବର ୨୦ତାରିଖ ଦିନ ଭୁବନେଶ୍ବରରେ ନୋଟାରିରେ ଏକ ସତ୍ୟପାଠ କରିଥିଲେ। ଏହି ସତ୍ୟପାଠରେ ସେ ଜଣାଇଥିଲେ ଯେ ସେମାନଙ୍କ ମୃତ୍ୟୁ ପରେ ତିନି ପୁଅ ମୁଖାଗ୍ନି ଦେବାରୁ ବଞ୍ଚିତ ରହିବା ସହ ଶବ ସଂସ୍କାର କାର୍ଯ୍ୟରେ ମଧ୍ୟ ଉପସ୍ଥିତ ରହିବେ ନାହିଁ।

Spread the love