ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ସିଷ୍ଟମରେ ଛୋଟଧରଣର ବନ୍ୟା ଆଶଙ୍କା ଦେଖାଦେଇଛି | ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଥିବାବେଳେ ଏହାକୁ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଏସଆରସି ବା ସ୍ୱତନ୍ତ୍ର ରିଲିଫ କମିଶନର | ଏଥିରେ ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଅଛନ୍ତି | ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ବର୍ତ୍ତମାନ ମୁଣ୍ଡଳୀରେ ୭ ଲକ୍ଷ ୯୮ ହଜାର ୫୯୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ଜଳସ୍ତର ଅପ ଷ୍ଟ୍ରିମରେ ୯୨ ଫୁଟ ଓ ଡାଉନ ଷ୍ଟ୍ରିମରେ ୮୮ ଫୁଟ ରହିଛି | ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବ | ବିଶେଷ କରି ଆଜି ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାକୁ ଥିବାବେଳେ ସମ୍ଭାବ୍ୟ ବନ୍ୟାକୁ ନେଇ ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି |

ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା |ତଳିଆ ଅଞ୍ଚଳଗୁଡିକରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ ଅଛନ୍ତି | ସେହିପରି ଦୁର୍ବଳ ନଦୀବନ୍ଧଗୁଡିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ ନିର୍ଦ୍ଦେଶ ଦିଆଯାଇଛି | ସ୍ଥାନୀୟ ପୁଲିସ ସହ ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି | ଆବଶ୍ୟକ ପଡିଲେ ତଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି | ସୁରକ୍ଷିତ କୋଠାରେ ରହିବା ଓ ଖାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି | ସେହିପରି ଆଠଗଡର ସାପୁଆ ନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି | ମହାନଦୀର ପଛୁଆ ପାଣି ପଶିବାରୁ ସାପୁଆରେ ଘାଇ ସୃଷ୍ଟି ହୋଇଛି |

Spread the love