ଭିଜିଲାନ୍ସ ହାତରେ ଧରାପଡିଥିବା ଦଶମନ୍ତପୁର ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ପୁଲିସ ଡିଜି

ଭୁବନେଶ୍ୱର: ଏକ ମାମଲାର ରଫାଦଫା କରିବାକୁ ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଆଜି ପୁଲିସ ଡିଜି ନିଲମ୍ବନ କରିଛନ୍ତି | ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଆଜି ପୁଲିସ ଡିଜି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି | ମିଳିଥିବା ସୂଚନା ମୁତାବକ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ଦଶମନ୍ତପୁର ବ୍ଲକ୍ ଗାଦିଆଗୁଡ଼ା ଗ୍ରାମର ମହେଶ୍ବର ସାଉଁନ୍ତା ପି. ବେଡ଼ାପଦର ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ସମୟରେ ମହେଶ୍ବର ଏସ୍. ତୋଟାଗୁଡା ଗ୍ରାମର ବିରଞ୍ଚି ଖୋସଲାଙ୍କ ନିକଟରୁ ୨୦ ହଜାର ଟଙ୍କା ବାକି ଆଣିଥିଲେ। ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତକୁ ନେଇ ବିରଞ୍ଚି ଓ ମହେଶ୍ବରଙ୍କ ମଧ୍ୟରେ ବଚସା ‌ହୋଇଥିଲା।

ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ତୀବ୍ର ହେବା ପରେ ମାମଲା ଦଶମନ୍ତପୁର ଥାନାରେ ପହଞ୍ଚିଥିଲା। ଟଙ୍କା ଫେରି ନ ପାଇବାରୁ ବିରଞ୍ଚି ଦଶମନ୍ତପୁର ଥାନାରେ ମହେଶ୍ବରଙ୍କ ନାମରେ ଅଭିଯୋଗ କରିଥିଲେ।ଦଶମନ୍ତପୁର ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଉଭୟଙ୍କୁ ଥାନାକୁ ଡକାଇ ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। କାର୍ଯ୍ୟାନୁଷ୍ଠାନ ବଦଳରେ ମାମଲାକୁ ରଫାଦଫା କରିବାକୁ ଦଶମନ୍ତପୁର ପୁଲିସ୍ ବିରଞ୍ଚିଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ପୁଲିସ୍ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଆଜି ବାକି ୮ ହଜାର ଟଙ୍କା ଦେବାକୁ ଥାନାକୁ ଯାଇଥିଲେ ବିରଞ୍ଚି। ଏହା ପୂର୍ବରୁ ଜୟପୁର ଭିଜିଲାନ୍ସ ଟିମ୍‌କୁ ଅବଗତ କରିଥିଲେ ବିରଞ୍ଚି। ଭିଜିଲାନ୍ସ ଟିମ୍ ଥାନା ପାଖରେ ଛପି ରହିଥିବା ବେଳେ ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶରେ ମହିଳା ଏଏସ୍‌ଆଇ ଦୀପ୍ତି ହୀରା ବିରଞ୍ଚିଙ୍କ ନିକଟରୁ ୮ ହଜାର ଟଙ୍କା ଗ୍ରହଣ କରିଥିଲେ। ଦୀପ୍ତି ଟଙ୍କା ନେବା କ୍ଷଣି ଭିଜିଲାନ୍ସ ଟିମ୍ ଚଢ଼ଉ କରି ୮ ହଜାର ଟଙ୍କା ସହ ଉଭୟ ଅଧିକାରୀଙ୍କୁ କାବୁ କରିଥିଲେ। ଆଉ ଏବେ ଚନ୍ଦ୍ରଭାନୁଙ୍କ ବିରୋଧରେ ଡିଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି |

Spread the love