ରାତ୍ର ଭୋଜନରେ ଲାଲୁଙ୍କୁ ଭେଟିଲେ ରାହୁଲ୍‌; ବିହାରରୁ ଯୋଗାଡ଼ ହୋଇଥିଲା ଦେଶୀ ‘ମଟନ୍‌’

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଆଗାମୀ କାର୍ଯ୍ୟଧାରା ଏବଂ ଅନ୍ୟାନ୍ୟ କେତେକ ସମସ୍ୟା ବିଷୟରେ ଆଲୋଚନା କରିବା ଲାଗି ଶୁକ୍ରବାର ରାତିରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ‘ଡିନର୍‌’ରେ ଭେଟିଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଲାଲୁ ପ୍ରସାଦଙ୍କୁ ଭେଟିବା ପାଇଁ ରାହୁଲ୍‌ ‘ଆର୍‌ଜେଡି’ ସାଂସଦ ମିସା ଭାରତୀଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ଯାଇଥିଲେ। ସେଠାରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏବଂ ରାହୁଲ୍‌ଙ୍କ ସହିତ ଯାଇଥିଲେ କଂଗ୍ରେସର ସାଙ୍ଗଠନିକ ସାଧାରଣ ସମ୍ପାଦକ କେ.ସି. ବେଣୁଗ‌ୋପାଳ। ଭେଟ ହେବା ବେଳେ ଲାଲୁ ପ୍ରସାଦ ଓ ରାହୁଲ୍‌ ହସି ହସି କୋଳାକୋଳି ହୋଇଥିବା ଦେଖାଯାଇଥିଲା। ଅନେକ ରାଜନୈତିକ ପ୍ରସଙ୍ଗ ଆଲୋଚନା କରିବା ସହିତ ରାହୁଲ୍‌ ଲାଲୁଙ୍କୁ ସ୍ବାସ୍ଥ୍ୟ ବିଷୟରେ ବି ପଚାରିଥିଲେ।

ରାହୁଲ୍‌ଙ୍କ ଅଭ୍ୟର୍ଥନା ପାଇଁ ଲାଲୁ ପ୍ରସାଦ ଓ ଝିଅ ମିସା ରାତ୍ର ଭୋଜନ ଆୟୋଜନ କରିଥିଲେ। ଏଥିରେ ଲାଲୁ ନିଜେ ‘ମଟନ୍‌’ (ଖାସିମାଂସ) ରାନ୍ଧିଥିଲେ। ସେ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିହାରରୁ ‘ଦେଶୀ ଖାସିମାଂସ’ ଓ ମସଲା ବ୍ୟବସ୍ଥା କରିଥିଲେ। ‌ଖାଲି ସେତିକି ନୁହେଁ, ବିହାରର ‘ସ୍ପେସାଲ୍‌ ଷ୍ଟାଇଲ୍‌’ରେ କିଭଳି ‘ମଟନ୍‌’ ରନ୍ଧା ଯାଏ, ତାହା ବି ଲାଲୁ ପ୍ରସାଦ ରାହୁଲ୍‌ଙ୍କୁ ଦେଖାଇ ଦେଇଥିଲେ। ବିହାରର ଚମ୍ପାରଣ ଖାସିମାଂସ ତା’ର ସ୍ବତନ୍ତ୍ର ରନ୍ଧନ ଶୈଳୀ ଓ ସ୍ବାଦ ପାଇଁ ବିଖ୍ୟାତ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲାରେ ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ସୁରତ ଅଦାଲତ କରିଥିବା ଜେଲ୍‌ଦଣ୍ଡାଦେଶ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଥିଲେ। ଏଥିରୁ ଆଶ୍ବସ୍ତି ପାଇବା ପରେ ରାହୁଲ୍‌ ଲାଲୁଙ୍କୁ ଭେଟିବାକୁ ଯାଇଥିଲେ।

Spread the love