ରାଜ୍ୟର ବୁଥ୍ ସଂଗଠନକୁ ସଶକ୍ତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦେଇଛନ୍ତି ଗୁରୁମନ୍ତ୍ର : ମନମୋହନ ସାମଲ

ଭୁବନେଶ୍ୱର, ତା.୦୫/୦୮: କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ରାଜ୍ୟର ପ୍ରତ୍ୟେକ ବୁଥ୍ ସଂଗଠନକୁ ସଶକ୍ତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ କରିବା ସହ ଗୁରୁମନ୍ତ୍ର ଦେଇଛନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଗସ୍ତ କାଳରେ ସେ ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି କାର୍ଯ୍ୟକର୍ତାଙ୍କ ସହ ଭୋଜନ କରିଛନ୍ତି । ଆଗାମୀ ନିର୍ବାଚନରେ ପାର୍ଟିକୁ ଜିତାଇବା ପାଇଁ ଦଳୀୟ ପଦାଧିକାରୀ, ବିଧାୟକ, ସାଂସଦ ଓ କୋର କମିଟିକୁ ଗୁରୁମନ୍ତ୍ର ଦେଇଛନ୍ତି । ଦଳୀୟ ନେତୃବୃନ୍ଦଙ୍କୁ ସମ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଯେ, ଓଡ଼ିଶାର ସାଧାରଣ ଜନତାଙ୍କ ଜୀବନମାନର ସ୍ତରକୁ ବୃଦ୍ଧି କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୯ବର୍ଷ ମୋଦି ଶାସନରେ ଓଡ଼ିଶାର ବିକାଶ ପାଇଁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ପଠାଇଛନ୍ତି । ଏହା ଓଡ଼ିଶାର ବିକାଶ ପାଇଁ ଏକ ଉଲ୍ଲେଖନୀୟ ସଫଳତା । ୟୁପିଏ ସରକାରର ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୯୩ହଜାର କୋଟି ଟଙ୍କା ମିଳିଥିଲା । ଏହା ହିଁ ମୋଦିଙ୍କ ଓଡ଼ିଶାକୁ ଭଲ ପାଇବାର ପ୍ରମାଣ ।

ରାଜ୍ୟର ପ୍ରତ୍ୟେକ ବୁଥ୍‌ର ସଂଗଠନ କିଭଳି ଭାବରେ ସଶକ୍ତ ହେବ ସେ ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟର ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କଲେ । ଲୋକମାନଙ୍କର ଅସୁବିଧା, ଅବ୍ୟବସ୍ଥା, ଦୁର୍ଗତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଜନଆନ୍ଦୋଳନ କରିବା ପାଇଁ ଦୃଢ଼ତାର ସହ ଆହ୍ୱାନ ଦେଇ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । କିଭଳି ଭାବରେ ପଂଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ଜନଆନ୍ଦୋଳନ କରାଯିବ ଏ ସଂପର୍କରେ ଶ୍ରୀ ଶାହା ବିସ୍ତୃତ ଆଲୋଚନା କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

Spread the love