ମୋଦି ସରକାରରେ ଓଡିଶାକୁ ମିଳିଛି ବିଶେଷ ଗୁରୁତ୍ୱ – ଅମିତ୍ ଶାହ

ଭୁବନେଶ୍ୱର, ଅଗଷ୍ଟ ୦୫ – ପୂର୍ବାଂଚଳର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏବଂ ଏହି ବିକାଶ କାମରେ ମୋଦି ସରକାରରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ଶନିବାର ଭୁବନେଶ୍ୱର ସ୍ଥିତ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ଦୁଇଟି ରାଜପଥ ପ୍ରକଳ୍ପ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ କଳାହାଣ୍ଡି ଜିଲ୍ଲାର ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ଓ ସୁଦୃଢକରଣ କାମର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କାମ କରିଛନ୍ତି । ନରେନ୍ଦ୍ର ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ସବୁପ୍ରକାର ପ୍ରୟାସ କରିଛନ୍ତି । ୟପିଏ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଅନୁଦାନ ୩ ଲକ୍ଷ କୋଟିରୁ ମୋଦି ସରକାରରେ ବଢି ୧୮ ଲକ୍ଷ କୋଟିରେ ପହଞ୍ଚିଛି । ରେଳ ବଜେଟରେ ଓଡ଼ିଶାକୁ ଚଳିତ ଆର୍ôଥକ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କା ଦିଆଯାଇଥିବା ବେଳେ ୮୦୦ କୋଟି ଟଙ୍କା ବ୍ୟୟରେ ଇଣ୍ଡିଆନ ଅଏଲର ପାଇପଲାଇନ କାମ ହୋଇଛି । ଏମ୍ସ ମେଡିକାଲ ସହ ଭାରତୀୟ ବିଜ୍ଞାନ, ଶିକ୍ଷା ଓ ଅନୁସନ୍ଧାନ ଭଳି ଅନୁଷ୍ଠାନ ଏଠାରେ ସ୍ଥାପନା କରାଯାଇଛି । ଭୁବନେଶ୍ୱରରେ ଇଏସଆଇ ହସ୍ପିଟାଲର ଉନ୍ନତିକରଣ ହୋଇଛି । ପିଏମ କିଷାନ ସମ୍ମାନ ନିଧିରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ଜଳ ଜୀବନ ମିଶନରେ ୫୪ ଲକ୍ଷ ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଯାଇଛି । ୯୦ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ୩ କୋଟି ୨୫ ଲକ୍ଷ ଲୋକଙ୍କୁ ପ୍ରତି ମାସରେ ଜଣଙ୍କ ପିଛା ୫ କେଜି ଚାଉଳ ଦିଆଯାଉଛି ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଜି ୭୬୧ କୋଟି ଟଙ୍କା ବ୍ୟୟରେ ଉଦଘାଟିତ କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ଖଣି ସମୃଦ୍ଧ ଅନୁଗୋଳ ଓ ଢେଙ୍କାନାଳ ସହିତ ଦେଶ ସହ ରାଜପଥ ମାଧ୍ୟମରେ ଯୋଡିହେବ । ଦେଶର ଭାଗ୍ୟ, ଦେଶର ବିକାଶ ଓ ଅର୍ଥନୀତି ରାଜମାର୍ଗ ସହ ଯୋଡିହୋଇ ରହିଛି । ମୋଦିଜୀ ୯ ବର୍ଷରେ ରାଜମାର୍ଗର ବିକାଶ ପାଇଁ ଅନେକ କାମ କରିଛନ୍ତି । ଶିଳାନ୍ୟାସ ହୋଇଥିବା କଳାହାଣ୍ଡି ଜିଲ୍ଲା ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ୩୪ କୋଟି ଟଙ୍କା ବ୍ୟୟରେ ହେବ । ଏହି ପ୍ରକଳ୍ପ ରାଜ୍ୟର ଭିତିଭୂମି ବିକାଶରେ ସହାୟକ ହେବ ।
ମୋଦି ସରକାରରେ ସବୁ ପ୍ରକାର ଭିତିଭୂମିକୁ ବିଗତ ୯ ବର୍ଷରେ ମହତ୍ୱ ଦିଆଯାଇଛି । ଭିତିଭୂମିର ବିକାଶ ବିନା ଦେଶର ବିକାଶ ହୋଇପାରିବ ନାହିଁ । ଏଥିପାଇଁ ଟୋଲ୍ କଲେକ୍ସନ, ଜମି ଅଧିଗ୍ରହଣରେ ଦକ୍ଷତା, ବିବାଦର ଶୀଘ୍ର ସମାଧାନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଉପରେ ଯୋର୍ ଦିଆଯିବା ସହ ସବୁଥିରେ ରାଜମାର୍ଗ ନିର୍ମାଣ ଗତିକୁ ମୋଦି ସରକାର ତ୍ୱରାନ୍ୱିତ କରିଛନ୍ତି । ୟୁପିଏ ସରକାରରେ ୨୦୧୪-୧୫ରେ ପ୍ରତିଦିନ ୧୨ କିମି ରାଜପଥ ନିର୍ମାଣ ହେଉଥିଲା । ଏହା ମୋଦି ସରକାରରେ ବଢି ୨୯ କିମିରେ ପିଁଚିଛି । ୧୧୦୦ କୋଟି ବ୍ୟୟରେ ରାଷ୍ଟ୍ରୀୟ ରାଜମାର୍ଗ ୧୮ ଅନ୍ତର୍ଗତ ୮୦ କିମି ବିଶିଷ୍ଟ ବାଲେଶ୍ୱରରୁ ଚାରିପୋଖରିଆ ରାସ୍ତା ସମେତ ଅନେକ ରାଜପଥ ନିର୍ମାଣ ହୋଇଛି । ଏହି ବିକାଶର କାମ ଓଡ଼ିଶାର ଅର୍ଥନୀତିକୁ ଗତି ଦେଇଛି ।
ଓଡ଼ିଶାରେ ନକ୍ସଲ ଗତିବିଧି କମିଛି । ମୋଦି ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲକୁ ଦମନ କରିବାରେ ସଫଳ ପ୍ରୟାସ କରିଛନ୍ତି । ନକ୍ସଲଙ୍କୁ ଦମନ କରିବା ଦିଗରେ ରାଜ୍ୟ ସରକାରମାନେ ସବୁବେଳେ ସମର୍ଥନ କରିଛନ୍ତି । ବିଜେପି ସରକାର ନକ୍ସଲ ବାଦ ବିରୋଧରେ ଲଢିବା ପାଇଁ କଟିବଦ୍ଧ ବୋଲି ଶ୍ରୀ ଶାହ କହିଛନ୍ତି । ଶ୍ରୀ ଶାହ ଆହୁରି କହିଥିଲେ ଯେ ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି ଓ ଶ୍ରଦ୍ଧା କରନ୍ତି । ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଛନ୍ତି । ଫଳରେ ଆଜି ଜାମ୍ମୁ କାଶ୍ମିର ମୁଖ୍ୟସ୍ରୋତରେ ସାମିଲ ହେବା ସହ ସେଠାରେ ଶାନ୍ତି ଅଛି ଏବଂ ବିକାଶର ରାସ୍ତା ପ୍ରଶସ୍ତ ହୋଇଛି ବୋଲି ଶ୍ରୀ ଶାହ କହିଛନ୍ତି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଓଡିଶା ସରକାରଙ୍କ ମନ୍ତ୍ରୀ, ଭାରତ ସରକାର ଓ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love