ସାର ପାଇଁ ଧାଡ଼ିରେ ଆଧାରକାର୍ଡ, ପଇଡ଼ ଓ ପଥର ଥୋଇଲେ ଚାଷୀ, ରାତି ୩ଟାରୁ ଅଧିଆ ପଡ଼ିଲେ

ସୁନ୍ଦରଗଡ଼: ୫ ତାରିଖ ଶନିବାର ସୁନ୍ଦରଗଡ଼ ଆରସିଏମଏସ୍ ଅଫିସ ଆଗରେ ଦେଖିବାକୁ ମିଳିଥିଲା ଏକ କୌତୂହଳପ୍ରଦ ଦୃଶ୍ୟ। ଅଫିସ ଫାଟକରୁ ରାସ୍ତାର ବହୁ ଦୂର ଯାଏ ଲାଗିଥିଲା ଆଧାରକାର୍ଡ, ପଇଡ଼, ପଥରର ଲମ୍ବା ଧାଡ଼ି। ଘଟଣା କଣ ବୁଝୁ ବୁଝୁ ଜଣାପଡ଼ିଲା ଯେ ସାର ପାଇଁ ଚାଷୀମାନେ ରାତି ୩ଟାରୁ ଆସି ଆଧାରକାର୍ଡ, ପଇଡ଼, ପଥର ଆଦିକୁ ଧାଡ଼ିରେ ରଖି ଜଗିଥିଲେ। ଝିପିଝିପି ବର୍ଷା ହେଉଥିବାରୁ ପଲିଥିନ୍ ଭିତରେ ଆଧାରକାର୍ଡକୁ ରଖି ଧାଡ଼ିରେ ଛାଡ଼ିଥିବା ଦେଖାଯାଇଥିଲା। କିନ୍ତୁ ସକାଳ ୯ଟାରେ ଆରସିଏମଏସ କର୍ମଚାରୀ ଗୋଦାମ ଖୋଲି ମାତ୍ର କିଛି ଲୋକଙ୍କୁ ସାର ଦେଇଥିଲେ। ମାତ୍ର ସାଢ଼େ ୫ ଶହ ବସ୍ତା ସାର ବଣ୍ଟନ ପରେ ସାର ସରିଗଲା ବୋଲି କୁହାଗଲା। ଅନେକ ଚାଷୀ ରାତି ୩ଟାରୁ ୯ଟା ଯାଏଁ ୬ ଘଣ୍ଟା ଅପେକ୍ଷା କରି ଶେଷକୁ ଖାଲି ହାତରେ ଫେରି ଯାଇଥିଲେ।
ଚାଷୀମାନେ ଏପରି ଅବସ୍ଥାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଆରସିଏମଏସ କର୍ତ୍ତୃପକ୍ଷ ସାର ନେବାକୁ ଶୁକ୍ରବାର ଚାଷୀମାନଙ୍କୁ ଡାକିଥିଲେ। ଚାଷୀମାନ ସକାଳୁ ଧାଡ଼ିରେ ଅପେକ୍ଷା କରିଥିଲେ। କିନ୍ତୁ ଶେଷରେ ସାର ଆସି ନାହିଁ, ଶନିବାର ଆସ କହି କର୍ତ୍ତୃପକ୍ଷ ଚାଷୀଙ୍କୁ ଫେରାଇ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ସଦର ବ୍ଲକର ଚାଷ ପାଇଁ ୫ ହଜାର ବସ୍ତା ସାର ଆବଶ୍ୟକତା ରହିଛି। ହେଲେ ଆରସିଏମଏସ୍ ୨ ଶହ, ୫ ଶହ ବସ୍ତା ସାର ଆଣି ବାଣ୍ଟୁ ଥିବାରୁ ଚାଷୀ ଆବଶ୍ୟକତା ଅନୁସାରେ ସାର ପାଇ ପାରୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଜୁଲାଇ ଆରମ୍ଭରୁ ଚାଷୀଙ୍କୁ ବିହନ, ସାର ଯୋଗାଇ ଦିଆଯିବା କଥା। କିନ୍ତୁ ବିଳମ୍ବରେ କମ୍ ସାର ଯୋଗାଇ ଦିଆଯିବା ଚାଷୀଙ୍କୁ ସମସ୍ୟାରେ ପକାଇଛି। ଆବଶ୍ୟକତା ଅନୁସାରେ ଠିକ୍ ସମୟରେ ସାର ଯୋଗାଇବାକୁ ଚାଷୀମାନେ ଦାବି କରିଛନ୍ତି।

Spread the love