ନକଲି ଯୁକ୍ତ ଦୁଇ ସାର୍ଟିଫିକେଟ୍ ମାମଲା: ଅଭିଯୁକ୍ତ ଅଧ୍ୟାପକ ଗିରଫ

ଖୋର୍ଦ୍ଧା: ତିନି ଦିନ ପୂର୍ବେ ଖୋର୍ଦ୍ଧା ଉପକଣ୍ଠ ଏକ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ସେହି ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କୁ ନକଲି ଯୁକ୍ତ ଦୁଇ ସାର୍ଟିଫିକେଟ ଦେବା ଘଟଣାରେ ଶନିବାର ଖୋର୍ଦ୍ଧା ସଦର ଥାନା ପୁଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଖୋର୍ଦ୍ଧା ସଦର ଥାନା ପକ୍ଷରୁ ଗିରଫଦାରୀ ସମ୍ପର୍କରେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ଦାସ କହିଛନ୍ତି ଯେ ୩ ଅଗଷ୍ଟ ୨୦୨୩ରେ ଦଧିମାଛଗାଡ଼ିଆର ଅଭିଷେକ କୁମାର ସାମନ୍ତରାୟ (୧୮) ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ସେ ଯୁକ୍ତ ଦୁଇ କଳାରେ ଅକୃତକାର୍ଯ୍ୟ ହୋଇଥିଲେ। ଏହାପରେ କାଇପଦରଠାରେ ଥିବା ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଅଧ୍ୟାପକ ତପନ କୁମାର ପୃଷ୍ଟି ତାଙ୍କ ଠାରୁ ଦୁଇଟି କିସ୍ତିରେ ଫୋନ୍‌ପେ ଓ ଗୁଗୁଲ ପେ ମାଧ୍ୟମରେ ୩୩ହଜାର ଟଙ୍କା ନେଇ ଜାତୀୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନରୁ ଯୁକ୍ତ ଦୁଇ ପାସ୍‌ ପ୍ରମାଣପତ୍ର ଦେଇଥିଲେ। ତେବେ ଏହି ପ୍ରମାଣପତ୍ର ପରବର୍ତୀ ସମୟରେ ନକଲି ବୋଲି ଜଣାପଡ଼ିଥିଲା।

ଅଭିଷେକଙ୍କ ଅଭିଯୋଗ ଅନୁସାରେ, ପୁଲିସ ୨୨୧/୨୦୨୩ରେ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୪୨୦, ୪୬୫, ୪୭୧ରେ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ସମ୍ପୃକ୍ତ ଅଧ୍ୟାପକ ଜଣକ ମୁକ୍ତ ବିଦ୍ୟାଳୟର ପ୍ରମାଣପତ୍ର ଜାଲିଆତି କରିଥିବା ପ୍ରମାଣିତ ହୋଇଥିଲା। ଏହି ଘଟଣାରେ ନକଲି ପ୍ରମାଣପତ୍ର, ପ୍ରଭିଜନାଲ୍‌ ପ୍ରମାଣପତ୍ର, ଟ୍ରାନ୍‌ସଫର ପ୍ରମାଣପତ୍ର, ଆଧାର କାର୍ଡ, ମୋବାଇଲ୍‌ ଫୋନ୍‌ଆଦି ଜବତ କରାଯାଇଛି। ତେବେ ଏନେଇକୌଣସି ପ୍ରିଂଟିଂ ଯନ୍ତ୍ର ଓଅନ୍ୟ ସାମଗ୍ରୀ ଆଦି ଜବତ ହୋଇନାହିଁ । ଏହି ମାମଲାରେ ଅନ୍ୟ କେହି ସମ୍ପୃକ୍ତ ରହିଛନ୍ତି କି ‌ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି ଏସ୍‌ଡିପିଓ ଶ୍ରୀଦାସ କହିଛନ୍ତି।

Spread the love