ମହାରାଷ୍ଟ୍ର ଆଇଏସ୍ ମଡ୍ୟୁଲ ମାମଲା, ବୋମା ବିଶେଷଜ୍ଞ ଅକିଫକୁ ଗିରଫ କଲା ଏନଆଇଏ

ମୁମ୍ବାଇ: ମହାରାଷ୍ଟ୍ର ଆଇଏସଆଇଏସ ମଡ୍ୟୁଲ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଶନିବାର ଆଉ ଜଣେ ସନ୍ଦିଗ୍ଧ ଅକିଫ୍ ଅତିକ ନାଚନକୁ ଗିରଫ କରିଛି। ଏହି ମାମଲାରେ ଏହା ଷଷ୍ଠ ଗିରଫଦାରୀ। ଏନଆଇଏ କହିଛି ଯେ ଶନିବାର ଥାନେର ଭିୱାଣ୍ଡି ତହସିଲର ବୋରିଭାଲିରେ ଚଢ଼ାଉ ପରେ ଅକିଫଙ୍କୁ ଗିରଫ କରାଯାଇଛି। ଚଢ଼ାଉ ସମୟରେ ଇଲେକ୍ଟ୍ରୋନିକ୍ ଉପକରଣ ଓ କାଗଜପତ୍ର ଭଳି ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଏନଆଇଏ ଏକ ବିବୃତିରେ କହିଛି ଯେ ଅକିଫ୍ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ତିଆରି କରିବାରେ ବିଶେଷଜ୍ଞ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଆଇଇଡି ତିଆରି ଏବଂ ପରୀକ୍ଷଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାବ୍ୟତୀତ ସେ ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କ ପାଇଁ ଲୁଚିରହିବାର ବ୍ୟବସ୍ଥା କରିଥିବା ମଧ୍ୟ ଅଭିଯୋଗ ହୋଇଛି।

ତଦନ୍ତକାରୀ ଏଜେନ୍ସି ଅନୁଯାୟୀ, ଅକିଫ୍ ସହ ଅନ୍ୟ ୪ ଜଣ ସନ୍ଦିଗ୍ଧ ଜୁଲ୍ଫିକାର ଅଲ୍ଲୀ ବରୋଦାୱାଲା, ମହମ୍ମଦ ଇମ୍ରାନ୍ ଖାନ୍, ମହମ୍ମଦ ୟୁନୁସ୍ ସାକି ଏବଂ ଅବଦୁଲ କାଦିର ପଠାନଙ୍କ ସମେତ ଅନ୍ୟ କିଛି ସନ୍ଦିଗ୍ଧ ଆତଙ୍କବାଦୀ ସଂଗଠନ ଆଇଏସ୍ ଆଇଏସର ଆତଙ୍କବାଦ ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାରେ ସକ୍ରିୟ ଭାବେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ନିକଟରେ ମହାରାଷ୍ଟ୍ର ଏଟିଏସ୍ ସମସ୍ତଙ୍କୁ ଗିରଫ କରିଥିଲା। ଏନଆଇଏ ସହ ମହାରାଷ୍ଟ୍ର ଏଟିଏସ ମଧ୍ୟ ଆଇଏସଆଇଏସ ଏବଂ ‘ଅଲ ସୁଫା’ ମାମଲାର ତଦନ୍ତ କରୁଛି ।

Spread the love