ଦିଲ୍ଲୀ ସମେତ ଉତ୍ତର-ଭାରତରେ ଭୂମିକମ୍ପ ଝଟକା, ଥରିଉଠିଲା ବୈଷ୍ଣୋ ଦେବୀ ମନ୍ଦିର

ନୂଆଦିଲ୍ଲୀ: ଶନିବାର ସଂଧ୍ୟାରେ ଦିଲ୍ଲୀ-ଏନସିଆରରୁ ଆରମ୍ଭ କରି କଶ୍ମୀର ପର୍ଯ୍ୟନ୍ତ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୯ଟା ୩୪ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାକିସ୍ତାନ ଓ ଆଫଗାନିସ୍ତାନର ଅନେକ ସହରରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରହିଥିଲା।
ଜମ୍ମୁ ଓ କଶ୍ମୀର ରାଜୌରି, କାଟ୍ରା ଆଦି ଅଂଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କାଟ୍ରାର ପ୍ରସିଦ୍ଧ ବୈଷ୍ଣୋ ଦେବୀ ମନ୍ଦିରରେ ବି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।
ଏହି ଭୂମିକମ୍ପର ପ୍ରଭାବ ପାକିସ୍ତାନର ଲାହୋର, ଇସ୍ଲାମାବାଦ, ପେଶାଓ୍ବର ଏବଂ ଆଫଗାନିସ୍ତାନର କେତେକ ଅଂଚଳରେ ଅନୁଭୂତ ହୋଇଥିବା ସୂଚନା ମିଳିଛି । ତେବେ ଏହା ଯୋଗୁଁ କୌଣସି ଧନଜୀବନ ହାନିର ସୂଚନା ମିଳିନାହିଁ ।

ପୃଥିବୀ ଭିତରେ ଏମିତି ଅନେକ ପ୍ଲେଟ୍ ରହିଛି ଯାହା ସମୟ ସମୟରେ ବିସ୍ଥାପିତ ହୋଇଥାଏ। ଏହି ସିଦ୍ଧାନ୍ତକୁ ଇଂରାଜୀରେ ପ୍ଲେଟ୍ ଟେକ୍ଟୋନିକ୍ସ କୁହାଯାଏ । ଏହି ସିଦ୍ଧାନ୍ତ ଅନୁଯାୟୀ ପୃଥିବୀର ଉପର ସ୍ତର ପ୍ରାୟ ୮୦ରୁ ୧୦୦ କିଲୋମିଟର ମୋଟା, ଯାହାକୁ ଲିଥୋସ୍ଫିୟର କୁହାଯାଏ । ପୃଥିବୀର ଏହି ଅଂଶରେ ଅନେକ ଖଣ୍ଡରେ ଭଙ୍ଗା ପ୍ଲେଟ୍ ଭାସୁଛି।

Spread the love