ଭବିଷ୍ୟତକୁ ନେଇ ଚିନ୍ତାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୬୧ ଅତିଥି ଅଧ୍ୟାପକ

ଜୟପୁର: ନିଜର ଆଗାମୀ ଦିନର ଭବିଷ୍ୟତକୁ ନେଇ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅତିଥି ଅଧ୍ୟାପକ ଚିନ୍ତାରେ ପଢ଼ିଯାଇଛନ୍ତି। ନୂଆରେ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇଥିବାରୁ ଏବେ ବିକଳ୍ପ ଭାବେ ପୂର୍ବରୁ ନିଯୁକ୍ତି ପାଇଥିବା ୬୧ଜଣ ଅତିଥି ଅଧ୍ୟାପକଙ୍କୁ ଏବେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଅଧିନକୁ ନିଆଯାଇଛି। ବିଶ୍ବବିଦ୍ୟାଳୟର ଅଧ୍ୟାପକ, ସହକାରୀ ପ୍ରାଧ୍ୟାପକ ଆଦି ହେବା ପାଇଁ ଯେଉଁ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା, ସହ ୟୁଜିସି ଦ୍ବାରା କରାଯାଉଥିବା ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ କୌଣସି ବିଷୟକୁ ନେଇ ଗବେଷଣା କରିବା ସହ ଏମଫିଲ୍ ବା ପିଏଚଡି କରିବାକୁ ପଡ଼ିବ। ସ୍ବୟଂ ଶାସିତ ମହାବିଦ୍ୟାଳୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିୟମିତ ଅଧ୍ୟାପକ ନିଯୁକ୍ତି ଦେଇ ନଥିଲେ। ଏହାକୁ ଦୃଷ୍ଟିରେ ରଖି ଗତ ଦିନରେ ସ୍ନାତକ‌ୋତ୍ତର ପଢ଼ିଥିବା ପିଲାଙ୍କୁ ବିଭିନ୍ନ ବିଷୟରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇଛି।
ଯଦି ନିୟମିତ ଅଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କ କଥାକୁ ଚିନ୍ତା କରାଯାଏ ତେବେ ବିଭିନ୍ନ ବିଭାଗରେ ଜଣେ , ଦୁଇ ଜଣ କିମ୍ବା ୩ଜଣ ହିଁ ରହିଛନ୍ତି। ନିୟମିତ ଅଧ୍ୟାପକ ଭାବେ ଇଂରାଜୀ, ଓଡିଆ, ରାଜନୈତିକ ବିଞାନ, ପ୍ରାଣୀବିଞାନରେ ୩ଟି ଲେଖାଏଁ ରହିଛନ୍ତି। ସେଭଳି ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, ବାଣିଜ୍ୟରେ ୪ଜଣ ଲେଖାଏଁ, ପିଲୋସଫି, ଗଣିତରେ ୨ଜଣ ଲେଖାଏଁ ରହିଛନ୍ତି। ସେଭଳି ଇତିହାସ, ସୋସିଓଲୋଜୀ, ଅର୍ଥନିତୀରେ ଜଣେ ଲେଖାଏଁ ରହିଛନ୍ତି। ୫ହଜାରରୁ ଉର୍ଦ୍ଧ୍ବ ପିଲାଙ୍କୁ ସ୍ନାତକ, ସ୍ନାତକୋତ୍ତର ଆଦି ବିଷୟରେ ପଢ଼ାଇବା ପାଇଁ ଶିକ୍ଷକ ଅଭାବ ହେବା ପରେ କଲେଜ ପକ୍ଷରୁ ଅତିଥି ଅଧ୍ୟାପକଙ୍କ ନିଯୁକ୍ତି ଦିଆଯାଇଥିଲା। ବିଶ୍ବବିଦ୍ୟାଳୟରେ ପାଠ ପଢ଼ାଇବା ପଦ୍ଧତି ଓ ସ୍ବୟଂ ଶାସିତ ମହାବିଦ୍ୟାଳୟର ପାଠ ପଢ଼ାଇବା ପଦ୍ଧତି ଓ ପ୍ରକ୍ରିୟା ଆଦି ଅଲଗା ରହିଛି। ଆଗାମୀ ଦିନରେ ବିଶ୍ବବିଦ୍ୟାଳୟର ବୋର୍ଡ ଅଫ ଷ୍ଟଡିଜ୍ ଗଠନ ହେବା ପରେ ନିଜସ୍ବ ପାଠ୍ୟକ୍ରମ ପଢ଼ାଯିବ। ଏବଂ ଆଗାମୀ ଦିନରେ ୟୁଜିସିର ନେଟ୍ ପରୀକ୍ଷୀ ଉତ୍ତୀର୍ଣ୍ଣ ଓ ଏମଫିଲ୍‌ (ପିଏଚଡି) ପାସ୍ କରିଥିବା ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ। ନଚେତ ନାକ୍ ଏକ୍ରିଡେସନ୍ କମିଟି ତଦାରଖ ପାଇଁ ଆସିବା ସହ ଅଧ୍ୟାପକ, ସହକାରୀ ପ୍ରାଧ୍ୟାପକ ମାନଙ୍କର ଶିକ୍ଷାଗତ ଯୋଗ୍ୟତା, ସଂଦର୍ଭ ପାଠ, ନିବନ୍ଧ ଓ ବହି ପ୍ରକାଶନ୍ ଆଦି ବି ତଦାରଖ କରିବେ।

ଏହି ସ୍ଥିତିରେ ଆଗାମୀ ଦିନ ପାଇଁ ଏବେ ଠାରୁ ଅତିଥି ଅଧ୍ୟାପକ ମାନେ ଚିନ୍ତାରେ ପଢ଼ିଛନ୍ତି। ନିୟମିତ ଅଧ୍ୟାପକ ମାନେ ଉଚ୍ଚଶିକ୍ଷା ପଢ଼ିବା ପାଇଁ ଗଲେ ସରକାରୀ ପ୍ରତ୍ସାହନ ସହ ଦରମା ବି ମିଳିବା ପ୍ରବଧାନ ଥିବା ବେଳେ ଅତିଥି ଅଧ୍ୟାପକଙ୍କ କ୍ଷେତ୍ରରେ ସେଭଳି ନାହିଁ। ସେମାନେ ‌ବର୍ଷକୁ ୧୦ମାସ ହିଁ କାମ କରିବେ। ଦୈନିକ ପ୍ରତ୍ସାହନ ରାଶି ଆକାରରେ ଏମାନଙ୍କୁ ଦିଆଯାଉଛି। ଗତ ୮ରୁ ୧୦ବର୍ଷ ହେବ କିଛି ଅତିଥି ଅଧ୍ୟାପକ ଏଠାରେ କାମ କରି ଆସୁଥିବା ବେଳେ ଏବେ ବୟସ ସୀମା ବି ଏମାନଙ୍କ ପାଇଁ ବାଧକ ସାଜିବା ସମ୍ଭାବନାକୁ ଏଡାଇ ହେବ ନି। ସଂପ୍ରତି ଆସିଥିବା ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଟିମକୁ ବି ଏ ନେଇ ଅତିଥି ଅଧ୍ୟାପକ ମାନେ ପଚାରିବାରେ ସେମାନେ ବି ସ୍ପଷ୍ଟ ଭାବେ ନିଜ ନିଜ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି କରିବା ସହ କିଭଳି ସେମାନେ ବିଶ୍ବବିଦ୍ୟାଳୟର ଅଂଶ ବିଶେଷ ହୋଇ ରହି ପାରିବେ ‌ତାହାକୁ ନେଇ ମାର୍ଗଦର୍ଶନ କରିଥିଲେ। ସ୍ବଳ୍ପ ପ୍ରତ୍ସାହନ ରାଶି ମିଳୁଥିବା ବେଳେ ବର୍ଷକୁ ୧୦ମାସର କାମ। ତା ବାଦେ ପୁଣି ପ୍ରତ୍ସାହନ ରାଶି ନିୟମିତ ମିଳୁ ବି ନାହିଁ। ଏହି ସ୍ଥିତିରେ ଆଗାମୀ ଦିନରେ ଏମାନଙ୍କ ଭବିଷ୍ୟତ କଣ ହେବ ତାହାକୁ‌ ନେଇ ଏମାନେ ଚିନ୍ତାରେ ପଢ଼ିଛନ୍ତି।

Spread the love