ଯୋଗୀଙ୍କ ଭଉଣୀଙ୍କୁ ଭେଟିଲେ ମୋଦୀଙ୍କ ଭଉଣୀ

ହରିଦ୍ବାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଉଣୀ ବାସନ୍ତିବେନ ଉତ୍ତରାଖଣ୍ଡର ନୀଳକଣ୍ଠ ଧାମକୁ ତୀର୍ଥଯାତ୍ରାରେ ଯାଇଥିବା ବେଳେ ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶୀ ଦେବୀଙ୍କୁ ଭେଟିଛନ୍ତି। କୋଠାରିଠାରେ ଏକ ମନ୍ଦିର ନିକଟରେ ଦୁହେଁ ଦୁହିଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଉଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଖବର ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ସାନ ଭଉଣୀ ବାସନ୍ତିବେନ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଋଷିକେଶ ଯାଇଥିଲେ ଏବଂ ସେଠାରେ ଦୟାନନ୍ଦ ଆଶ୍ରମରେ ରହିଥିଲେ। ତାଙ୍କ ସହ ତାଙ୍କ ସ୍ବାମୀ ହଂସମୁଖ ଓ ଅନ୍ୟ ସମ୍ପର୍କୀୟ ମଧ୍ୟ ଥିଲେ।

ସେମାନେ ନୀଳକଣ୍ଠ ମହାଦେବ ମନ୍ଦିର ଓ ଭୁବନେଶ୍ବରୀ ମନ୍ଦିର ପରିଦର୍ଶନ କରି ଫେରୁଥିବା ବେଳେ ଶଶୀ ଦେବୀଙ୍କୁ ତାଙ୍କ ଦୋକାନରେ ଭେଟିଥିଲେ।
ବିଜେପି ନେତା ଅଜୟ ନନ୍ଦ ଏକ୍ସ (ପୂର୍ବର ଟ୍ବିଟର)ରେ ଏହାର ଏକ ଭିଡ଼ିଓ ସେୟାର କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଉଣୀ ବାସନ୍ତିବେନ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଭଉଣୀ ଶଶୀ ଦେବୀ ସରଳତା, ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ। ସେମାନଙ୍କ ବନ୍ଧୁତା ରାଜନୀତିରୁ ଊର୍ଦ୍ଧ୍ବରେ ଏବଂ ଭାରତୀୟ ମୂଲ୍ୟବୋଧର ପ୍ରତିନିଧିତ୍ବ କରୁଥିବା ସେ ଦୁହିଙ୍କୁ ଦେଖିଲେ ଆମକୁ ଗର୍ବ ଲାଗୁଛି।

Spread the love