ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ – ଧର୍ମେନ୍ଦ୍ର ପ୍ରଧାନ

ରେଳ ବିଭାଗ ପକ୍ଷରୁ ନାଲକୋ ସହଯୋଗରେ ଓଡିଶାର କଳା ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଆଜି ଯେଉଁ ପଦକ୍ଷେପ ନିଆଯାଇଛି ତଦ୍ୱାରା ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ ବୋଲି ଗୁରୁବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଓଡିଶା ସଂସ୍କୃତି ଓ କଳାରେ ବ୍ରାଣ୍ଡିଂ ହୋଇଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀଏକ୍ସପ୍ରେସ୍ ଏବଂ ଓଡିଆ ଭାଷାରେ ଅସଂରକ୍ଷିତ ଟ୍ରେନ୍ ଟିକେଟ୍ ପ୍ରଚଳନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜଧାନୀ ଏକ୍ସେପ୍ରେସର ୩ ଯୋଡା ଟ୍ରେନରେ ଓଡିଆ ସଂସ୍କୃତିକୁ ପ୍ରତିଫଳିତ କରିବାର ପଦକ୍ଷେପ
ସ୍ୱାଗତଯୋଗ୍ୟ । ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀ ଯିବାବେଳେ ଟ୍ରେନର ଓଡିଶାର କଳା ସଂସ୍କୃତିର ଫଟୋଚିତ୍ରକୁ ଲୋକମାନେ
ଦେଖିପାରିବେ । ନିକଟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ବେଳାଭୂମିରେ ଇକୋ ରିଟ୍ରିଟ୍ ଆରମ୍ଭ
ହୋଇଛି । ଏହା ମଧ୍ୟ ଏକ ପଦକ୍ଷେପ । ଆଗାମୀ ଦିନରେ ରେଳ ବିଭାଗ ବା ଅନ୍ୟାନ୍ୟ ରାଷ୍ଟ୍ରାୟତ ସଂସ୍ଥା ଆହୁରି ଭଲ ଭାବେ
ଓଡିଶାକୁ ସମ୍ମାନ କରନ୍ତୁ, ଏହା ଆମର ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାର ୩୧୭ଟି ରେଳ ଷ୍ଟେସନ ଅଛି । ପୂର୍ବରୁ ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ
ଅସଂରକ୍ଷିତ ବଗି ପାଇଁ କେବଳ ଇଂରାଜୀ ଓ ହିନ୍ଦି ଭାଷା ଟିକେଟ୍ ପ୍ରଚଳନ ଥିଲା । ମାତ୍ର ଏବେ ରେଳ ବିଭାଗ ପକ୍ଷରୁ ଓଡିଆ
ଭାଷାରେ ଏହି ବଗି ପାଇଁ ଟିକେଟ୍ ପ୍ରଚଳନ ହେବା ଆନନ୍ଦର ବିଷୟ । ଏଣିକି ରାଜ୍ୟ ଭିତରେ ଯେ କୌଣସି ସ୍ଥାନକୁ
ଟ୍ରେନରେ ଯାତ୍ରା କଲେ ଉକ୍ତ ଟିକେଟରେ ଇଂରାଜୀ, ହିନ୍ଦି ଭାଷା ସମେତ ଓଡିଆ ଭାଷାରେ ରହିବ । ଓଡିଶା ରାଜ୍ୟରେ
ଆଂଚଳିକ ଭାଷାରେ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ
ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love