ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ୧୯ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ନେଇ ପୁଲିସ ଆକ୍ସନ୍ ମୁଡ଼୍‌କୁ ଆସିଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୪୦ ଜଣଙ୍କ ନାମ‌ରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୯ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ୍ ଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି। ସେହିପରି କନ୍ଧମାଳ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଗଂଜାମ ଜିଲ୍ଲା ସୋରଡ଼ାରୁ ରମେଶ ଚନ୍ଦ୍ର ପ୍ରଧାନ ଅବସ୍ଥାପିତ କରାଯାଇଛି। ଆଉ ପୁଲିସ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ଅଭିଯୋଗରେ ୨ ଜଣ ହୋମ୍‌ଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଏବଂ ରବି ଡିଗାଲଙ୍କ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି କନ୍ଧମାଳ ଏସ୍‌.ପି. ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଆଜି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଫିରିଙ୍ଗିଆର ବିଭିନ୍ନ ଛକ ଓ ଗଳିରେ ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୧୪୪ ଧାରା ବଳବତ୍ତର ରହିଛି। ଆଜି ଫିରିଙ୍ଗିଆ ବଜାର ପୁଲିସ ଛାଉଣୀରେ ପରିଣତ ହୋଇଥିବା ଦୋକାନବଜାର ବନ୍ଦ ହୋଇଯାଇଥିଲା। ଫଳରେ ବଜାର ଶୂନଶାନ୍ ଲାଗୁଥିଲା। ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଯାଞ୍ଚକୁ ବ୍ୟାପକ କରାଯାଇଛି। ଏସ୍‌.ପି.ଶ୍ରୀ ପାତ୍ର କହିଛନ୍ତି, ଥାନା ପୋଡ଼ି ଘଟଣା ପଛରେ ଗଞ୍ଜେଇ ମାଫିଆଙ୍କ ହାତ ରହିଛି। ପୂର୍ବରୁ ଏତେ ମାତ୍ରାରେ ଜିଲ୍ଲାରେ ଗ‌ଞ୍ଜେଇ ଧରପଗଡ଼ ହେଉ ନଥିଲା। କିନ୍ତୁ ଚଳିତବର୍ଷ ଏହାକୁ ବ୍ୟାପକ କରାଯାଇଛି। ଚଳିତବର୍ଷ ଆଜି ସୁଦ୍ଧା, ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ ଟନ୍ ଗଞ୍ଜେଇ ଜବତ ହୋଇସାରିଲାଣି।
ଅନ୍ୟପଟେ, ଫିରିଙ୍ଗିଆ ପୁଲିସ ଗଞ୍ଜେଇ ଚାଲାଣ କରୁଥିବା ନେଇ ସ୍ଥାନୀୟ ଲୋକେ ଆଣିଥିବା ଅଭିଯୋଗର ମଧ୍ୟ ଯାଞ୍ଚ ହେଉଛି। ଫିରିଙ୍ଗିଆ ଥାନାର ୨ ଜଣ ହୋମ୍‌ଗାର୍ଡ଼ ଏକ ବୋଲେରୋରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଯେଉଁ ଭିଡ଼ିଓ ଭାଇରାଲ୍ ହୋଇଛି, ତାହାର ସତ୍ୟତା ନେଇ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଏସ୍‌.ପି.ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଫିରିଙ୍ଗିଆ ଆସି ଆଇନଶୃଙ୍ଖଳା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଥାନା ପୋଡ଼ି ଘଟଣାରେ ଗ‌ଞ୍ଜେଇ ମାଫିଆଙ୍କ ପ୍ରତ୍ୟକ୍ଷ ଭୂମିକା ରହିଛି ବୋଲି ସେ ଦୋହରାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଏବଂ ‌ତାଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଲାଣ କରୁଥିବା ଫିରିଙ୍ଗିଆ ଥାନାର ୨ ଜଣ ହୋମ୍‌ଗାର୍ଡ଼ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଫିରିଙ୍ଗିଆ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ଏବଂ ତହସିଲଦାର ଏମ୍‌.ଅନୁରାଧାଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ପୁଲିସ ଏବଂ ତହସିଲଦାରଙ୍କ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ହସ୍ତକ୍ଷେପ କରିବା ପରେ ଖଣ୍ଡଯୁଦ୍ଧ ହୋଇଥିଲା। ପାଖାପାଖି ୫୦୦ରୁ ଅଧିକ ଉତ୍ତ୍ୟକ୍ତ ଲୋକେ ସେଠାରୁ ଫିରିଙ୍ଗିଆ ଥାନାକୁ ଯାଇ ଭିତରେ ଧସେଇ ପଶି ଜବତ ଚୋରା ବାଇକ୍ ଓ ଚାରିଚକିଆ ଗାଡ଼ିଲେ ନିଆଁ ଲଗାଇଦେଇଥିଲେ। ମାଲ୍‌ଖାନାରେ ଗଚ୍ଛିତ ଜବତ ଗଞ୍ଜେଇ ମଧ୍ୟ ପୋଡ଼ିଦେଇଥିଲେ। ଫଳରେ ଫିରିଙ୍ଗିଆରେ ଏକ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ‌ହୋଇଥିଲା।

Spread the love