ବିଜେଡି ଏକ ରାଜନୀତିକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନ – ନବୀନ ପଟ୍ଟନାୟକ

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପାଳିତ ହେଲା ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି । ସମଗ୍ର ଦେଶ ଗାନ୍ଧୀଙ୍କ 150 ତମ ଜନ୍ମଜୟନ୍ତୀ ପାଳନ କରିବାକୁ ଯାଉଥିବାବେଳେ ବିଜେଡି ମଧ୍ୟ ଏହାକୁ ଖୁବ ଆଡ଼ମ୍ୱର ସହକାରେ ପାଳିବ ବୋଲି ଏହି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସଂପର୍କରେ ସେ କହିଥିଲେ ଯେ, ତାଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ଉଚିତ୍ । ଗାନ୍ଧିଜୀଙ୍କର ବାର୍ତ୍ତା ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ ।

ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଏକ ରାଜନୀତିକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନ । ଦଳ ତିଷ୍ଠି ରହିବା ସହ ନିଜର ଅଭିବୃଦ୍ଧି ପାଇଁ ତାଙ୍କ ସମେତ କିଛି ଲୋକଙ୍କ ଉପରେ ଏହା ଆଦୌ ନିର୍ଭରଶୀଳ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ବାବୁଙ୍କୁ ମନେପକାଇ ସେ କହିଛନ୍ତି ଯେ, ବିଜୁ ବାବୁ କହିଥିଲେ ତାଙ୍କ ପ୍ରତି ଆନୁଗତ୍ୟ ନଦେଖାଇ ଓଡ଼ିଶା ପ୍ରତି ଦେଖାଇବାକୁ । ଆଜି ତାଙ୍କରି ଆଦର୍ଶ ନେଇ ଗଢିଉଠିଥିବା ବିଜେଡି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ସେ କହିଛନ୍ତି ।

ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪ କୋଟି ଭାଇ ଓ ଭଉଣୀ ଆମ ପରିବାର । ଭୋଟ୍ ଜରିଆରେ ସେମାନେ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ । ବିଜେଡି ପରିବାରର ସେବା ପାଇଁ ଏହା ଏକ ମହାନ ସୁଯୋଗ । ନିର୍ବାଚନରେ ଜିତିବା ପାଇଁ ବିଜେଡି କାମ କରୁନି । ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଦଳର ଲକ୍ଷ୍ୟ ବୋଲି ସେ କହିଥିଲେ । ଏଥିପାଇଁ 365 ଦିନ କାମ କରିବା ପାଇଁ ଦଳର ସମସ୍ତ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ  । ତେବେ ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି ।

Spread the love