ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି: ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାସ୍ତବରେ ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଲାଗିରହିଥିଲା। ଏହି ବିବାଦ କାରଣରୁ ନୀଳାଦ୍ରି ବିଜେଠାରୁ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା।

ବହୁ ବାଦ ବିବାଦ ପରେ ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି। ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ। ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ। ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ପରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ ହୋଇ ଆସୁଛି।

Spread the love