ଚନ୍ଦ୍ରଠାରୁ ୧,୪୩୭କିମି ଦୂରରେ ଚନ୍ଦ୍ରଯାନ-୩: ଅଗଷ୍ଟ ୧୬ରେ ୧୦୦କିମି କକ୍ଷପଥରେ ପ୍ରବେଶ କରିବ

ବେଙ୍ଗାଲୁରୁ: ଗତ ରବିବାର ଚନ୍ଦ୍ର କକ୍ଷରେ ପ୍ରବେଶ (ଏଲ୍‌ଓଆଇ) ତଥା ତୃତୀୟ ଚନ୍ଦ୍ର-ବନ୍ଧିତ ମାନିଉଭର (କକ୍ଷପଥ ପରିବର୍ତ୍ତନ) ପରେ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ଅଧିକ ନିକଟତର ହୋଇଛି ଏବଂ ଚନ୍ଦ୍ରଠାରୁ ୧,୪୩୭ କିମି ଦୂରରେ ଅଛି ବୋଲି ଇସ୍ରୋ ପକ୍ଷରୁ ବୁଧବାର କୁହାଯାଇଛି। ବୁଧବାର ତୃତୀୟ ମାନିଉଭର ପରେ ଚନ୍ଦ୍ରଯାନ-୩ର କକ୍ଷପଥ ଏବେ ୧୭୪କିମି x ୧,୪୩୭କିମିକୁ ହ୍ରାସ ପାଇଛି। ପରବର୍ତ୍ତୀ କକ୍ଷ ପରିବର୍ତ୍ତନ ଅଗଷ୍ଟ ୧୪ ପୂର୍ବାହ୍ନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ସମ୍ପାଦିତ ହେବ ବୋଲି ଇସ୍ରୋ କହିଛି। ସୋମବାର ଚନ୍ଦ୍ରରୁ ଚନ୍ଦ୍ରଯାନ-୩ର ଦୂରତା ୧୪,୦୦୦ କିମିରୁ ୪,୩୧୩ କିମିକୁ ହ୍ରାସ କରାଯାଇଥିଲା। ଆଗାମୀ ୧୪ରେ ଏହାର ପରବର୍ତ୍ତୀ ମାନିଉଭର ହେବ ଏବଂ ଦୂରତା ଆହୁରି ହ୍ରାସ ପାଇବ। ଅଗଷ୍ଟ ୧୬ରେ ଆଉ ଏକ ମାନିଉଭର କରାଯିବ, ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରର ୧୦୦ କିମି ବୃତ୍ତାକାର କକ୍ଷପଥରେ ପ୍ରବେଶ କରିବ। ଅଗଷ୍ଟ ୧୭ରେ ଲ୍ୟାଣ୍ଡିଂ ମଡ୍ୟୁଲ୍, ଯେଉଁଥିରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ଅଛି, ତାହା ପ୍ରପଲ୍‌ସନ ମଡ୍ୟୁଲ୍‌ରୁ ଅଲଗା ହେବ।

ଲ୍ୟାଣ୍ଡିଂ ମଡ୍ୟୁଲ୍ ଅଲଗା ହେବା ପରେ ଇସ୍ରୋ ଏହାକୁ ଏପରି ଏକ କକ୍ଷପଥକୁ ଆଣିବ ଯେଉଁଥିରେ ଚନ୍ଦ୍ରଠାରୁ ନିକଟତମ ଦୂରତା ୩୦ କିମି ଓ ଦୂରତମ ଦୂରତା ୧୦୦ କିମି ରହିବ। ତା’ପରେ ଏହି କକ୍ଷପଥରୁ ଚନ୍ଦ୍ରରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ। ମଙ୍ଗଳବାର ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଥିଲେ ଯେ, ଚନ୍ଦ୍ରଯାନ-୩ର ସବୁକିଛି ଠିକ୍‌ଠାକ୍ ଚାଲିଛି ଏବଂ ଅଗଷ୍ଟ ୨୩ରେ ଏହା ଚନ୍ଦ୍ରପୃଷ୍ଠରେ ନିରାପଦରେ ଅବତରଣ କରିବ ବୋଲି ଆଶା କରାଯାଉଛି।

Spread the love