ଏନ୍‌ଆଇଟିରେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ; ଏସ୍‌ଟିଆଇସିର ପ୍ରକଳ୍ପ ସମୀକ୍ଷା, ଆଲୋଚନା

ରାଉରକେଲା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ରାଉରକେଲା ଏନ୍‌ଆଇଟିରେ‘ସ୍ପେସ୍‌ ଟେକ୍ନୋଲୋଜି ଇନ୍‌କ୍ୟୁବେସନ ସେଣ୍ଟର୍‌(ଏସ୍‌ଟିଆଇସି)’ ସ୍ଥାପନ କରାଯାଇଛି। ଏହି କେନ୍ଦ୍ରର ମୂଳ ଉଦ୍ଦେଶ୍ୟ ହେଉଛି ମହାକାଶ ବିଜ୍ଞାନ କ୍ଷେତ୍ର‌ରେ ଅଧିକରୁ ଅଧିକ ଗବେଷଣାକୁ ପ୍ରୋତ୍ସାହିତ କରିବା। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଛାତ୍ରଛାତ୍ରୀଙ୍କ ପାଇଁ ଏହି କେନ୍ଦ୍ର ସମର୍ପିତ। ଇସ୍ରୋର ୮ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ ଗଠିତ ବୈଜ୍ଞାନିକ ଦଳ ଗୁରୁବାର ଏହି କେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରତିନିଧି ଦଳରେ ଆର୍‌ଆର୍‌ଏମ୍‌ଡି ମୁଖ୍ୟ ଡ. ଆଭା ଛାବ୍ରା, ଭିଏସ୍‌ଏସ୍‌ସି କେନ୍ଦ୍ରର ଡ. ଅନୀତା ଏସ୍‌, କ୍ୟୁସିଏଡି ମୁଖ୍ୟ ବେଣୁପ୍ରସାଦ ପି., ସିବିପିଓ(ଇସ୍ରୋ ମୁଖ୍ୟାଳୟ)ର ନିର୍ଦ୍ଦେଶକ ଡ. ସୁଧୀର କୁମାର, ଉପନିର୍ଦ୍ଦେଶକ ନିଶାନ୍ତ କୁମାର, ଉପ ନିର୍ଦ୍ଦେଶକ ଡ. ଭି.କେ. ଆନନ୍ଦନ, ଅଂଶୁମାନ ଶର୍ମା, ବି. ଶଙ୍କର ମାଦାସ୍ବାମୀ ପ୍ରମୁଖ ସାମିଲ ଅଛନ୍ତି।
ଏହିଅବସରରେ ଡିନ୍‌ ପ୍ରଫେସର ମୁକେଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ତୃତୀୟ ଯୁଗ୍ମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କେନ୍ଦ୍ରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ପରେ ପ୍ରତିନିଧି ଦଳ ଗବେଷଣାରତ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏସ୍‌ଟିଆଇସି ସଂଯୋଜକ ପ୍ରଫେସର ସୁସ୍ମିତା ଦାସ କହିଲେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ଓ ଭବିଷ୍ୟରେ ମହାକାଶ ମିଶନ୍‌କୁ ସହାୟତା ପାଇଁ ଏସ୍‌ଟିଆଇସି-ଏନ୍‌ଆଇଟି ୯ଟି ପ୍ରକଳ୍ପ ଉପରେ କାର୍ଯ୍ୟରତ। ବିଭିନ୍ନ ବିଭାଗର ଅଧ୍ୟାପକଙ୍କ ନେତୃତ୍ୱରେ ଦଳଗୁଡିକ କୃଷି ମନିଟରିଂ ଓ ଫସଲ ବୀମା, ଟ୍ରାକିଂ ପ୍ରକ୍ରିୟାର ଡିଜାଇନ୍ ଓ ବିକାଶ, ତରଙ୍ଗ ସର୍କିଟ୍, ମାନବବିହୀନ ପାଣିପାଗ ରାଡାର କାଲିବ୍ରେସନ୍ ଆଦିର ସମନ୍ୱିତ ସୂଚନା ପ୍ରଣାଳୀ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଇସ୍ରୋ ମୁଖ୍ୟାଳୟର ସିବିପିଓ ନିର୍ଦ୍ଦେଶକ ଶ୍ରୀ କୁମାର ଗବେଷଣାରତ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାସହ କହିଲେ, ସ୍ପେସ୍ ଟେକ୍ନୋଲୋଜି ମିଶନରେ ନବସୃଜନକୁ ଆକର୍ଷିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୁବ ମନକୁ ସେମାନଙ୍କର ନୂତନ ଦୃଷ୍ଟିକୋଣ ମାଧ୍ୟମରେ ଯୋଗଦାନ କରିବାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଇସ୍ରୋ ପ୍ରଦତ୍ତ ସୁବିଧାସୁଯୋଗକରି ନିଜକୁ ବିକଶିତ କରିବାକୁ ଆହ୍ବାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ/ଅଧ୍ୟ‌ାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Spread the love