ଦିନେଶ-ଦୀପିକା ହିଁ ଶିଶୁର ବାପା-ମାଆ: ଡିଏନଏ ରିପୋର୍ଟରୁ ସ୍ପ‌ଷ୍ଟ ହେଲା ସତ

ବ୍ରହ୍ମପୁର: ଆସିଲା ଦିନେଶ-ଦୀପିକାଙ୍କ ଡିଏନଏ ରିପୋର୍ଟ। ଏହି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ହେଉଛନ୍ତି ଦିନେଶ ଓ ଦୀପିକା। ଗତକାଲି ଥାନାରୁ ସାର୍ଟିଫାଏଡ କପି ଆଣିଥିଲେ ଦୀପିକା। ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି।
ସୂଚନାଯୋଗ୍ୟ, ସ୍ତ୍ରୀର ମାନ୍ୟତା ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ମାସ ମାସ ଧରି ଦାବି କରିଆସୁଛନ୍ତି ବ୍ରହ୍ମପୁରର କେ. ଦୀପିକା। ସେ ଗତ ଅକ୍ଟୋବର ମାସରେ ମହିଳା କମିସନଙ୍କ ନିକଟରେ ଗୁହାରି କରିଥିଲେ। ନ୍ୟାୟ ଆଶାରେ ୫ମ ଥର ପାଇଁ ନିର୍ଦ୍ଧାରିତ ସମୟରେ ଦୀପିକା କମିସନଙ୍କ ନିକଟରେ ହାଜର ହୋଇଥିଲେ। ଅପରପକ୍ଷେ ପ୍ରଥମଥର ପାଇଁ ଦିନେଶ ନିଜ ବାପା ଓ ମା’ଙ୍କ ସହ ହାଜର ହୋଇଥିଲେ। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ରଖିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଉଭୟଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ଓ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ଦିନେଶ ଓ ତାଙ୍କ ବାପା-ମା’ ସିଧାସଳଖ ମନା କରିଦେଇଥିଲେ। କିନ୍ତୁ, ଯଦି ଡିଏନ୍ଏ ରିପୋର୍ଟରେ ଶିଶୁପୁତ୍ର ଦିନେଶଙ୍କର ବୋଲି ପ୍ରମାଣିତ ହୁଏ, ତେବେ ଶିଶୁପୁତ୍ରକୁ ତାଙ୍କ ପରିବାର ଗ୍ରହଣ କରିବେ ବୋଲି କହିଥିଲେ। ଏନେଇ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରା କହିଥିଲେ, ଦୀପିକା ଓ ଦିନେଶଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଶୁଣାଣି ସ୍ଥଗିତ ରହିଛି। କିନ୍ତୁ ମାମଲା ଉପରେ ଆୟୋଗ ନଜର ରଖିବ। କୋର୍ଟଙ୍କ ରାୟ ଯାହା ଆସିବ ତାହା ଶେଷ ନିଷ୍ପତ୍ତି ହୋଇଥିବାରୁ ଏଥିରେ କମିସନଙ୍କ କୌଣସି ଭୂମିକା ନଥିବା ଶ୍ରୀମତୀ ବେହେରା କହିଥିଲେ।
ସେପଟେ ଆଜିର ଘଟଣା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୀଡ଼ିତା ଦୀପିକା। ନିଜ ହକ୍ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ତାଙ୍କୁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଥିବା କହିଥିଲେ।

Spread the love