ଗଞ୍ଜେଇ ମାଫିଆ ଓ ପୋଲିସର ଅନୈତିକ ବୁଝାମଣାରୁ ଜନ୍ମ ଫିରିଙ୍ଗିଆ ଘଟଣା: ବିରଂଚି ତ୍ରିପାଠୀ

ଭୁବନେଶ୍ୱର,ତା.୧୧/୦୮: କନ୍ଧମାଳ ଜିଲ୍ଲା ପୂର୍ବରୁ ଅଦା, ହଳଦୀ, କଦଳୀ ଚାଷ ପାଇଁ ସୁଖ୍ୟାତି ଅର୍ଜନ କରିଥିବା କନ୍ଧମାଳ ଆଜି ଗଂଜେଇ ଚାଷ ପାଇଁ ଚର୍ଚ୍ଚାର ବିଷୟ ସାଜିଛି । ପୋଲିସ ପ୍ରତି ସାଧାରଣ ଲୋକଙ୍କର ଅବିଶ୍ୱାସ ଓ ଘୃଣା ଭାବ ଯୋଗୁଁ ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା ଭଳି ସମ୍ବେଦନଶୀଳ ଘଟଣା ଘଟିଯାଇଛି । ଫିରିଙ୍ଗିଆ ଘଟଣାର ମୁଖ୍ୟନାୟକ ତଥା ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଏବଂ ସଂପୃକ୍ତ ହୋମଗାର୍ଡଙ୍କୁ ଏଯାଏଁ ଗିରଫ କରାଯାଇ ନାହିଁ କାହିଁକି ? ଗଂଜେଇ ଥିବା ପୋଲିସ ଗାଡିକୁ ଜବତ୍ କରାଯାଇ ନାହିଁ କାହିଁକି ? ଗଞ୍ଜେଇ ଚାଲଣରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ କିଏ ସୁରକ୍ଷା ଦେଉଛି ? ବାଡ କ୍ଷେତ ଖାଇବାର ପରିଣାମ ହେଉଛି ‘ଫିରିଙ୍ଗିଆ ଘଟଣା’ ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗତ ୩ ତାରିଖ ରାତିରେ ଫିରିଙ୍ଗିଆ ଅଂଚଳର ସାଧାରଣ ଜନତା ଗୋଟିଏ ପୋଲିସ ଗାଡିକୁ ଅଟକାଇଥିଲେ । ସେହି ଗାଡିରେ ୨ଜଣ ହୋମଗାର୍ଡ ଗଞ୍ଜେଇ ନେଇ ଯାଉଥିଲେ । ସାଧାରଣ ଜନତା ସେମାନଙ୍କୁ ଅଟକାଇ ପଚାରିବାରୁ ସେମାନେ କହିଥିଲେ ଯେ, ଆଇଆଇସି ତପନ ନାହାକ ଗଞ୍ଜେଇ ବିକ୍ରି କରିବାକୁ ପଠାଇଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ସମସ୍ତ ପ୍ରମାଣ ସ୍ଥାନୀୟ ବାସିନ୍ଦା ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କି ଗଞ୍ଜେଇ ଗାଡିକୁ ଜବତ କରାଗଲା ନାହିଁ । ଏହାପରେ ଗତ ୫ତାରିଖ ଦିନ ସାଧାରଣ ଜନତା ଉଗ୍ରରୂପ ଧାରଣ କରି ଫିରିଙ୍ଗିଆ ଛକରେ ରାସ୍ତା ଅବରୋଧ କରିବା ସହ ଥାନାକୁ ନିଆଁ ଲଗାଇ ଧ୍ୱଂସ କରିଦେଲେ । ପୋଲିସ୍ ପ୍ରଶାସନର ସ୍ଥାନୀୟ ବାସିନ୍ଦାଙ୍କ ଉପରେ ବାରମ୍ବାର ଜୁଲମ୍ କାରଣରୁ ଆଜି ପୋଲିସ୍‌ର ବିଶ୍ୱାସନୀୟତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗତ କାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ନାଉରୀ ନାଏକଙ୍କ ନେତୃତ୍ୱରେ ବିଧାୟକ ସୁବାଷ ପାଣିଗ୍ରାହୀ, ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ସୁକାନ୍ତ ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ସ୍ଥାନୀୟ ବାସିନ୍ଦା, ପୋଲିସ ପ୍ରଶାସନ ଓ ଜିଲ୍ଲା ଏସପିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
ସ୍ଥାନୀୟବାସିନ୍ଦାଙ୍କ ଅଭିଯୋଗ ଅତ୍ୟନ୍ତ ସାଂଘାତିକ । ଫିରିଙ୍ଗିଆ ଅଂଚଳର ସରଳ ଓ ନିରୀହ ଆଦିବାସୀ ଭାଇ ଭଉଣୀମାନଙ୍କୁ ବାହାର ଅଂଚଳରୁ ଆସିଥିବା ମାଫିଆ ଓ ଦଲାଲ୍‌ମାନେ ଗଞ୍ଜେଇ ଚାଷ ପାଇଁ ପ୍ରବର୍ତାଉଛନ୍ତି ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ଯିଏ ଏହି ଅଂଚଳରେ ଗଞ୍ଜେଇ ଚାଷ କରୁନାହିଁ ସେମାନଙ୍କୁ ପୋଲିସ ଅଧିକାରୀ ଡର, ଭୟ, ମାଡ, ଧମକ, ମିଛ କେସ୍ ଓ ଗିରଫ କରିବାର ଧମକ ଦେଉଛି । ବାହାର ରାଜ୍ୟର ଦଲାଲଙ୍କ ସହିତ ସ୍ଥାନୀୟ ଅଚଂଳର ପୋଲିସ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ପାଟଣା, ରାୟପୁର, ବିଶାଖାପାଟଣା, ହାଇଦ୍ରାବାଦ, ମୁମ୍ବାଇ ବିଭିନ୍ନ ଅଂଚଳକୁ ଏହି ଗଞ୍ଜେଇ ଚାଲାଣ ହେଉଛି । ବାସ୍ତବରେ ଗଞ୍ଜେଇ ବେପାରର ମାଷ୍ଟର ମାଇଣ୍ଡକୁ ସୁରକ୍ଷା ଦେଉଛି ପୋଲିସ ବୋଲି ଅଂଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିବା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସ୍ଥାନୀୟ ବାସିନ୍ଦା ଓ ପୋଲିସ ସହ ଆଲୋଚନା ପରେ ଜାଣିବାକୁ ପାଇଥିଲା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏ ଅଂଚଳରେ ଥାନା ପୋଡି ପ୍ରଥମ ନୁହେଁ । ଅତୀତରେ ଦୁଇ ଦୁଇ ଥର ଏଭଳି ଘଟଣା ଘଟିଥିଲେ ମଧ୍ୟ ପୋଲିସ ପ୍ରଶାସନ କାହିଁକି ସତର୍କ ହୋଇ ପୋଲିସ ଫୋର୍ସ ମୁତୟନ କରିନଥିଲେ ? ଥାନା ପୋଡି ଘଟଣା ପରେ ପୋଲିସ ପ୍ରଶାସନ ଆକ୍ରୋଶମୁଳକ ଭାବେ ନିରୀହ ସାଧାରଣ ଜନତାଙ୍କୁ ଗିରଫ କରୁଛି । ଏପରିକି ବୃଦ୍ଧ, ମହିଳା, ଛାତ୍ର, ଦିବ୍ୟାଙ୍ଗଙ୍କୁ ମଧ୍ୟ ବାଦ୍ ଦିଆଯାଉନାହିଁ ଏବଂ ପୋଲିସ୍‌ର ଜୁଲମ୍ ଜାରୀ ରହିଛି । ଶାନ୍ତି, ସୌହାର୍ଦ୍ୟ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଯତ୍ନବାନ ହୁଅନ୍ତୁ । ନିରୀହ ଛାତ୍ର, ଯୁବ, ମହିଳାଙ୍କ ଉପରେ ପୋଲିସର ଆକ୍ରୋଶମୂଳକ ଜୁଲମ୍ ବନ୍ଦ କରାଯାଉ । ଦୋଷୀ ପୋଲିସ ଉପରେ ଫୌଜଦାରୀ ମକଦ୍ଦମା ଲଗାଇ ଗିରଫ କରାଯାଉ । ଥାନା ପୋଡିରେ ସଂପୃକ୍ତ ନଥିବା ଲୋକଙ୍କୁ ପୋଲିସ ଗିରଫ କଲେ କିମ୍ବା ଅତ୍ୟାଚାର କଲେ ସେ ଅଂଚଳରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ଓ କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love