ଜଳୁଥିଲା ଥାନା, ପଳାଇଥିଲେ ପୁଲିସ ବାବୁ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ତତ୍କାଳୀନ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଥିବା ଜଣାପଡ଼ିଛି | କର୍ତ୍ତବ୍ୟରେ ଅବହେଳା ସାଙ୍ଗକୁ ଥାନା ପୋଡ଼ି ବେଳେ ଥାନା ଛାଡ଼ି ଚାଲିଯାଇଥିବା ଯୋଗୁଁ ଡିଜିପି ନିଲମ୍ବିତ କରିଥିବା ଜଣାପଡ଼ିଛି | ଗତ ୫ ତାରିଖ ଦିନ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ତାଙ୍କୁ କନ୍ଧମାଳ ଏସପି ଫୁଲବାଣୀ ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ ଏବଂ ଆଜି ତାଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି | ନିଲମ୍ବିତ ଆଇଆଇସି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ନେଇ ପୂର୍ବରୁ ଅଭିଯୋଗ ହେଇଆସୁଥିଲା | ଉଲ୍ଲେଖ ଥାଉ କି ଅଗଷ୍ଟ ୫ ତାରିଖ ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଏବଂ ‌ତାଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଲାଣ କରୁଥିବା ଫିରିଙ୍ଗିଆ ଥାନାର ୨ ଜଣ ହୋମ୍‌ଗାର୍ଡ଼ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଫିରିଙ୍ଗିଆ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ।
ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ଏବଂ ତହସିଲଦାର ଏମ୍‌.ଅନୁରାଧାଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ପୁଲିସ ଏବଂ ତହସିଲଦାରଙ୍କ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ହସ୍ତକ୍ଷେପ କରିବା ପରେ ଖଣ୍ଡଯୁଦ୍ଧ ହୋଇଥିଲା। ପାଖାପାଖି ୫୦୦ରୁ ଅଧିକ ଉତ୍ତ୍ୟକ୍ତ ଲୋକେ ସେଠାରୁ ଫିରିଙ୍ଗିଆ ଥାନାକୁ ଯାଇ ଭିତରେ ଧସେଇ ପଶି ଜବତ ଚୋରା ବାଇକ୍ ଓ ଚାରିଚକିଆ ଗାଡ଼ିଲେ ନିଆଁ ଲଗାଇଦେଇଥିଲେ। ମାଲ୍‌ଖାନାରେ ଗଚ୍ଛିତ ଜବତ ଗଞ୍ଜେଇ ମଧ୍ୟ ପୋଡ଼ିଦେଇଥିଲେ। ଫଳରେ ଫିରିଙ୍ଗିଆରେ ଏକ ବଡ଼ଧରଣର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ‌ହୋଇଥିଲା।

Spread the love