ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଆଜି ସକାଳେ ମାଓବାଦୀଙ୍କ ଆକ୍ରମଣରେ ସିଆରପିଏଫ୍ ଯବାନ ତଥା ଓଡ଼ିଆ ପୁଅ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହି ବୋଲି ଜଣାପଡିଛି | ଆଜି ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ | ଯବାନମାନେ ମଧ୍ୟ ଆକ୍ରମଣର ଜବାବ ଦେବାକୁ ଗୁଳି ଚଳାଇଥିଲେ | ତେବେ ନକ୍ସଲଙ୍କ ଗୁଳିମାଡରେ ସିଆରପିଏଫର ଦୁଇ ଜଣ ଯବାନ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡ଼ିଥିଲେ |
ଏହାପରେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା | ତେବେ ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ | ଅନ୍ୟପଟେ ମୁନ୍ନାଙ୍କ ଅବସ୍ଥା ମଧ୍ୟ ଏବେ ବି ଗୁରୁତର ଅଛି | ଉଲ୍ଲେଖ ଥାଉ କି ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡିପଡିଛି | କାରଣ କିଛି ବର୍ଷ ଅନ୍ତରରେ ତାଙ୍କ ପରିବାରର ବାପା ଓ ଦୁଇ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି | ସୁଶାନ୍ତଙ୍କ ବଡଭାଇ ମଧ୍ୟ ସିଆରପିଏଫରେ ଥିଲେ ଓ ୨ ବର୍ଷ ତଳେ ସେ ବି ସହିଦ ହୋଇଥିଲେ |

କିଛିଦିନ ତଳେ ସୁଶାନ୍ତଙ୍କ ବାପାଙ୍କ ପରଲୋକ ହୋଇଥିବାବେଳେ ଦୁଇ ମାସ ତଳେ ସୁଶାନ୍ତ ବିବାହ କରିଥିଲେ | ସୁଶାନ୍ତଙ୍କ ଆଉ ଜଣେ ଭାଇଙ୍କର କ୍ୟାନ୍ସରରେ ବି କିଛିଦିନ ତଳେ ମୃତ୍ୟୁ ଘଟିଥିଲା | ସୁଶାନ୍ତଙ୍କ ମା ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଏବେ ତାଙ୍କ ପାଖରେ ତାଙ୍କ ଭଉଣୀ ଅଛନ୍ତି |

Spread the love