ଲୋକସଭା କାର୍ଯ୍ୟ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ୫ ଓଡ଼ିଆ ଅଧିକାରୀ

ନୂଆଦିଲ୍ଲୀ: ଗତକାଲି ଲୋକସଭାରେ ସଂପନ୍ନ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ମତଦାନକୁ ସାରାଦେଶ ଦେଖିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣଠାରୁ ଆରମ୍ଭ କରି କଂଗ୍ରେସର ବିରୋଧ ଓ କକ୍ଷତ୍ୟାଗକୁ ଦେଶର ପ୍ରାୟ ସବୁ ଟିଭିଚାନେଲ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ପ୍ରସାରଣ କରିଥିଲେ। ତେବେ ଏସବୁ ପ୍ରକ୍ରିୟା ଚାଲିଥିବା ବେଳେ ଲୋକସଭାରେ ବାଚସ୍ପତିଙ୍କ ଠିକ ସାମ୍ନାରେ ଥିବା ବଡ଼ ଟେବୁଲରେ ବସି ଆନୁସଙ୍ଗିକ କାଗଜପତ୍ର କାମ କରୁଥିବା ସରକାରୀ ଅଧିକାରୀମାନଙ୍କ ଉପରେ ଦର୍ଶକଙ୍କ ଦୃଷ୍ଟି କମ୍ ପଡ଼ିଥାଏ। କିନ୍ତୁ ସେମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଆଉ ଗୌରବର ବିଷୟ ହେଲା ଏହି ଗୁରୁଦାୟିତ୍ବ ନିର୍ବାହ କରୁଥିବା ଅଧିକାରୀଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଅଛନ୍ତି।
ଲୋକସଭା ସଚିବାଳୟର ଏହି ୫ ବରିଷ୍ଠ ଓଡିଆ ଅଧିକାରୀ ମର୍ଯ୍ୟଦାଜନକ ‘ଟେବୁଲ ଅଫ ଦ ହାଉସ୍’ର ଗୁରତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି।ବାସ୍ତବରେ ‌ଲୋକସଭାରେ ‘ଟେବୁଲ ଅଫ ଦ ହାଉସ୍’ ହେଉଛି ସେହି ସ୍ଥାନ, ଯାହା ବାଚସ୍ପତିଙ୍କ ଆସନର ୱେଲ ସାମ୍ନାରେ ଥାଏ। ସେଠାରେ ସମୁଦାୟ ୬ ଜଣ ଅଧିକାରୀ କାର୍ଯ୍ୟ କରିଥାନ୍ତ ଓ ‌ସମସ୍ତେ ଲୋକସଭା ସଚିବାଳୟର କର୍ମଚାରୀ। ସୌଭାଗ୍ୟର କଥା ହେଉଛି ଏଭଳି ଦାୟିତ୍ବ ସଂପାଦନ କରୁଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଓଡ଼ିଶାର। ସେମାନେ ହେଲେ ଯୁଗ୍ମ ସଚିବ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଯଦୁମଣି ବୈଶାଖ, ନିର୍ଦ୍ଦେଶକ ସୁନ୍ଦର ପ୍ରସାଦ ଦାସ ଓ ଶୋଭନ କୁମାର ଗାଙ୍ଗୁଲି ଏବଂ ଅନୁସଚିବ ଦେବାଶିଷ ଖୁଣ୍ଟିଆ।
ଏହି ଅଧିକାରୀମାନେ ବାଚସ୍ପତିଙ୍କ ସହିତ ସାଂସଦଙ୍କ ସେତୁ ରୁପେ କାର୍ଯ୍ୟ କରିଥାନ୍ତି।ସଂସଦର ରୁଲ ଅଫ ପ୍ରସିଜ୍ୟୁର ଅର୍ନ୍ତଗତ ଧାର୍ଯ୍ୟ କାର୍ଯ୍ୟଗୁଡ଼ିକର ସଂଚାଳନା ଉକ୍ତ ଅଧକାରୀମାନେ କରିଥାନ୍ତି। ସଦନରେ ବିଲ୍ ଆଗତଠାରୁ ପାରିତ ହେବା ପର୍ଯ୍ୟନ୍ତ ସମମ୍ତ ବୈଧାନିକ କାର୍ଯ୍ୟରେ ସେମାନଙ୍କର ସଂପୃକ୍ତି ରହିଥାଏ। ଲୋକସଭାର ବିଭିନ୍ନ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବିଜନେସ ଆଡଭାଇଜରି କମିଟି ବୈଠକରେ ଏହି ୫ ଜଣ ଅଧିକାରୀ ଉପସ୍ଥିତ ରହି ଲୋକସଭାର ପ୍ରତି ସପ୍ତାହର କାର୍ଯ୍ୟକୁ ଚୂଡ଼ାନ୍ତ କରିବାରେ ସହଯୋଗ କରିଥାନ୍ତି। ଏହି କାର୍ଯ୍ୟ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହୋଇଥାଏ। ସେମାନଙ୍କ ଜରିଆରେ ସାଂସଦମାନଙ୍କ ପ୍ରଦତ୍ତ ତଥ୍ୟ ଓ ସୂଚନାକୁ ବାଚସ୍ପତିଙ୍କର ଦୂଷ୍ଟି ଆକର୍ଷଣ କରାଯାଇଥାଏ। କହିବାକୁ ଗଲେ ଗୃହ ଚଳାଇବାର ସମସ୍ତ ଦାୟିତ୍ବ ଏହି ଅଧିକାରୀମାନଙ୍କ ହାତରେ ନ୍ୟସ୍ତ ଥାଏ। ସବୁଠାରୁ ଗୁରତ୍ବପୁର୍ଣ୍ଣ କଥା ହେଉଛି ୫ ଓଡ଼ିଆ ଅଧିକାରୀ ସଂସଦୀୟ ବ୍ୟାପାର ସଂପର୍କିତ କାର୍ଯ୍ୟରେ ସିଦ୍ଧହସ୍ତ ଏବଂ ସେମାନଙ୍କର କାର୍ଯ୍ୟକୁଶଳତା ତଥା ଦକ୍ଷତାକୁ ନେଇ ବେଶ୍ ପ୍ରସିଦ୍ଧି ରହିଛି। ‌

Spread the love