ନୂଆ ଆଇନରେ ପୋଲିସକୁ ଅଧିକ କ୍ଷମତା ! ରାଜନୈତିକ ଅସ୍ତ୍ର ପାଲଟିବ ପୋଲିସ : କପିଲ ଶିବଲ

ପୋଲିସ ବଳ ପ୍ରୟୋଗ କରି ବିରୋଧୀଂକୁ ଚୁପ କରିବେ ସରକାର। ବ୍ରିଟିଶ ଅମଳର ଆଇନ ଆଇପିସି ବଦଳରେ କେନ୍ଦ୍ର ସରକାର ଆଣିଥିବା ଭାରତୀୟ ନ୍ୟାୟ ସଂହିତା ବିଲ-୨୦୨୩ରେ ଏଭଳି ବ୍ୟବସ୍ଥା ରହିଛି। ଏଥିରେ ପୋଲିସକୁ ମାତ୍ରାଧିକ କ୍ଷମତା ଦେବାର ପ୍ରାବଧାନ ରହିଛି। ଏମିତି ଅଭିଯୋଗ କରିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ କପିଲ ଶିବଲ। ସେପଟେ ମହିଳାଙ୍କ ବିରୋଧରେ ଯୌନ ଅପରାଧ ପାଇଁ ବିଲରେ ରହିଛି କଠୋର ଦଣ୍ଡ ବ୍ୟବସ୍ଥା।

ଶିବଲ କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ କଠୋର ପୋଲିସ ବଳ ପ୍ରୟୋଗକୁ ଅନୁମତି ଦେବ ନୂଆ ଆଇନ। ଦେଶଦ୍ରୋହ ପାଇଁ ରହିଥିବା ଧାରା ୧୫୦ରେ ଏଭଳି ପ୍ରାବଧାନ ରହିଛି। ଜଣଙ୍କୁ ୧୫ ଦିନରୁ ୬୦ କିମ୍ବା ୯୦ ଦିନ ପର୍ଯ୍ୟନ୍ତ କଷ୍ଟଡିରେ ରଖି ପାରିବ ପୋଲିସ। ବିରୋଧୀଙ୍କୁ ଚୁପ କରିବା ଏହାର ଏଜେଣ୍ଡା ବୋଲି ଅଭିଯୋଗ କରିଛନ୍ତି କପିଲ ଶିବଲ।

ଭାରତୀୟ ନ୍ୟାୟ ସଂହିତାରେ ଆଇପିସିର ଅନେକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଯୌନ ଅପରାଧ ପାଇଁ ରହିଛି କଠୋର ଦଣ୍ଡ ବ୍ୟବସ୍ଥା। ସମସ୍ତ ପ୍ରକାର ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ବା ଆଜୀବନ ଜେଲଦଣ୍ଡ ବ୍ୟବସ୍ଥା ରହିଛି।

ନାବାଳିକା ଦୁଷ୍କର୍ମ କ୍ଷେତ୍ରରେ ନୂଆ ଆଇନରେ ରହିଛି ମୃତ୍ୟୁଦଣ୍ଡ ବ୍ୟବସ୍ଥା । ଆଇପିସି, ସିଆରପିସି ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ୩ଟି ନୂଆ ବିଲ ଆଣିଛନ୍ତି କେନ୍ଦ୍ର ସରକାର। ଶୁକ୍ରବାର ସଂସଦରେ ବିଲ ଉପସ୍ଥାପନ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ୩ ବିଲ ଆଇନରେ ପରିଣତ ହେଲେ ହଟିବ ବ୍ରିଟିଶ ଅମଳର ନିୟମ।

Spread the love