ବିଜେଡିର ଦଳୀୟ ଗୀତ ଗାଇ ବିବାଦ ଘେରରେ ହ୍ୟୁମାନ ସାଗର

ବ୍ରହ୍ମପୁର: ଓଲିଉଡ୍‌ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବେ ବିବାଦ ଘେରରେ । ନିଜ ଗୀତ ପାଇଁ ତାଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଛି ! ସୋସିଆଲ ମିଡିଆରେ ତାଙ୍କ ଗୀତକୁ ନେଇ ଏବେ ଢ଼େର ସମାଲାେଚନା କରାଯାଉଛି । ସେ କାହିଁକି ଏଭଳି ଗୀତ ଗାଇଲେ ତାଙ୍କୁ କିଏ କହିଲା ଏଭଳି ଗୀତ ବୋଲିବା ପାଇଁ ସେନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଉଛି ।ଧୁମ୍‌ ଧାମ୍‌ରେ ଚାଲିଥିବା ଗୋପାଳପୁର ବିଚ୍‌ ଫେଷ୍ଟିଭାଲରେ ପରଫର୍ମ କରିବାକୁ ଆସିଥିବା ହ୍ୟୁମାନ ସାଗର, ସେଠାରେ ବିଜେଡିର ଦଳୀୟ ଗୀତ ବୋଲି ପ୍ରଚାର କରିଛନ୍ତି । ଗୀତ ମାଧ୍ୟମରେ ସେ ମହୋତ୍ସବରେ ନବୀନ ପଟ୍ଟନାୟକ ଓ ବିଜେଡିର ପ୍ରଚାର କରୁଥିବା ଦେଖାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଜିଲ୍ଲା ମହୋତ୍ସବରେ ଦଳୀୟ ଗୀତ ବୋଲିବାକୁ ହ୍ୟୁମାନ ସାଗର ସାହସ କଲେ କିପରି ? କାହିଁକି ତାଙ୍କୁ କେହି ଅଟକାଇନଥିଲେ ? ଏଭଳି ତମାମ୍‌ ପ୍ରଶ୍ନ ଏବେ ହ୍ୟୁମାନ ସାଗରଙ୍କୁ ଘାଇଲା କରିଛି । ସେପଟେ ବିରୋଧୀ କହିଛନ୍ତି ଶାସକ ଦଳ ନେତା ଏବେ କ୍ଷମତାରେ ଏତେ ବିଭୋର ହୋଇଛନ୍ତି ଯେ, ସରକାରଙ୍କ କୋଟି କୋଟି ଟଙ୍କାକୁ ଦଳର ପ୍ରଚାର ପାଇଁ ଖର୍ଚ୍ଚ କରୁଛନ୍ତି ।ଜନସାଧାରଣଙ୍କ ପାଇଁ ଆୟୋଜନ କରାଯାଇଥିବା ମହୋତ୍ସବକୁ ଦଳୀୟ କାର୍ଯ୍ୟକ୍ରମ କରିବାରେ ସରକାରୀ ଦଳ ନେତା ମାନେ ଟିକେ ବି କସର ଝାଡ଼ୁନାହାନ୍ତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।ଏପରି ସଙ୍ଗୀତ ପରିବେଶଣ କରାଯିବାର ମୁଳ ଅର୍ଥ କଣ ? କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଉଦେଶ୍ୟ ରଖି ପ୍ରଚାର କରାଯାଉଛି ? ପ୍ରଶ୍ନ ଉଠୁଛି ଗଞ୍ଜାମ ଜିଲ୍ଲା ପ୍ରଶାସନ କଣ ଜିଲ୍ଲା ମହତ୍ସୋବ ନାଁରେ ବିଜେଡି ଦଳର ପ୍ରଚାର ମଙ୍ଗ ଧରିଛି ? ମହତ୍ସୋବର ସଭାପତି କଣ ଦଳୀୟ ପ୍ରଚାର ପାଇଁ ଏଭଳି ସଙ୍ଗୀତ ପରିବେଶଣ କରିବାକୁ କହିଥିଲେ କି ? ଦଳୀୟ ପ୍ରଚାର ପ୍ରସାରରେ ଏବେ ପ୍ରଶାସକ ବି ସାମିଲ ହୋଇନାହାନ୍ତି ତ ? ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆୟୋଜନ କରାଯାଉଛି କ’ଣ ବିଜେଡିର ପ୍ରଚାର ପାଇଁ ? ଗଞ୍ଜାମ ଜିଲ୍ଲାର ଗୋପାଳପୁର ମହତ୍ସୋବରେ ଦଳର ପ୍ରଚାର ପାଇଁ ଏପରି ସଙ୍ଗୀତ ପରିବେଷଣ କରାଯିବା କେତେଦୁର ଯଥାର୍ଥ ? କିଏ ଏପରି କରିବା ପାଇଁ ନିର୍ଦେଶ ଦେଇଥିଲା ? କଣ ସରକାରୀ ଟଙ୍କାରେ ମହତ୍ସୋବରେ ଦଳୀୟ ପ୍ରଚାର କରାଯିବା ଉଚିତ କି ? ଏଭଳି ତମାମ୍‌ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

Spread the love