ମଣିପୁରରେ ସଶସ୍ତ୍ର ଦୁର୍ବୃତ୍ତଙ୍କ ଗୁଳି ଚୋଟରେ କୁକି ସମ୍ପ୍ରଦାୟର ୩ଜଣ ନିହତ

ଇମ୍ଫାଲ୍‌: ଗୁରୁବାର ପାହାନ୍ତାରେ ମଣିପୁରର ଉଖ୍‌ରୁଲ୍‌ ଜିଲ୍ଲାରେ ସଶସ୍ତ୍ର ଦୁର୍ବୃତ୍ତମାନେ କୁକୁ ସମ୍ପ୍ରଦାୟର ୩ଜଣ ସଦସ୍ୟଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରି କହିଛନ୍ତି। ପୁଲିସ କହିବା ଅନୁସାରେ, ଜିଲ୍ଲା ମୁଖ୍ୟାଳୟ ଉଖ୍‌ରୁଲ୍‌ ସହରଠାରୁ ପ୍ରାୟ ୪୭ କିଲୋମିଟର୍‌ ଦୂରରେ ଅବସ୍ଥିତ କୁକୁ ଜନଜାତି ବସବାସ କରୁଥିବା ଥୌୱାକି କୁକି ଗ୍ରାମରେ ରାତି ପ୍ରାୟ ୪.୩୦ରେ ଗୁଳିକାଣ୍ଡ ଘଟିଛି।

ଘଟଣା ଘଟିଥିବା ସୁନିଶ୍ଚିତ କରି ଉଖ୍‌ରୁଲ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଏନ୍‌. ଭି. ବାଶୁମ୍‌ କହିଛନ୍ତି, ଆମଦ୍ବାରା ସଂଗୃହୀତ ସୂଚନା ଅନୁସାରେ, ଗ୍ରାମର ପୂର୍ବ ପ୍ରାନ୍ତରେ ଥିବା ପାହାଡ଼ରୁ ଦଳେ ସଶସ୍ତ୍ର ଦୁର୍ବୃତ୍ତ ଗାଁ’ରେ ପଶି ଗାଁ’ରେ ପହରା ଦେଉଥିବା ଲୋକମାନଙ୍କ ଉପରକୁ ଗୁଳି ଚଳାଇଲେ। ଏହି ଗୁଳିକାଣ୍ଡରେ ଉକ୍ତ ଗାଁ’ର ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗୁଳି ଚୋଟରେ କେହି ଆହତ ହୋଇଥିବା ଖବର ମିଳିନାହିଁ। ଘଟଣା ପରେ ପରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ସହିତ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ରାଜ୍ୟ ପୁଲିସ ଓ ଭାରତୀୟ ସେନା ମିଳିତ ଅଭିଯାନ ଆରମ୍ଭ କରିଥିବା କଥା ସେ କହିଛନ୍ତି। ମୃତ ବ୍ୟକ୍ତିମାନେ ହେଲେ ୨୬ ବର୍ଷିୟ ଜାମଖୋଗିନ୍‌ ହାଓକିପ୍‌, ୩୫ ବର୍ଷିୟ ଥାଙ୍ଗ୍‌ଖୋକାଇ ହାଓକିପ୍‌ ଓ ୨୪ ବର୍ଷିୟ ହୋଲେସନ୍‌ ବୈତେ।

ସୂଚନାଯୋଗ୍ୟ, ମେ ୩ ତାରିଖରୁ ମଣିପୁର ରାଜ୍ୟରେ କୁକି ଓ ମେଇତେଇ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ଓ ୩୦୦୦ରୁ ଅଧିକ ଲୋକ ଆହତ ହେଲେଣି।

Spread the love