ଆକାଶରୁ ଖସିଲା ମାଛ; ସମଗ୍ର ସହରରୁ କଟିଗଲା ବିଜୁଳି

ନ୍ୟୁଜର୍ସି: ଆକାଶରୁ ଗୋଟାଏ ମାଛ ଖସିବା କାରଣରୁ ଆମେରିକାର ନ୍ୟୁଜର୍ସି ସହର ଅନ୍ତଗର୍ତ ସେର୍ଭିଲ୍‌ ଅଞ୍ଚଳରେ ବିଜୁଳି କଟିଯାଇଥିବା କଥା ଗତ ଶନିବାର ଦିନ ସେର୍ଭିଲ୍‌ ପୋଲିସ୍‌ ‘ଫେସ୍‌ବୁକ୍‌’ ପୋଷ୍ଟ୍‌ରେ ଉଲ୍ଲେଖ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ଫଳରେ ସେର୍ଭିଲ୍‌ ଅଞ୍ଚଳର ପ୍ରାୟ ୨,୧୦୦ ବାସିନ୍ଦା କିଛି ଘଣ୍ଟା ପାଇଁ ଅନ୍ଧାରରେ ରହିଥିଲେ। ନ୍ୟୁଜର୍ସି ସହରର ସରକାରୀ ଅଧିକାରୀମାନେ କହିଛନ୍ତି, ଗୋଟାଏ ଶିକାରୀ ପକ୍ଷୀ ପଞ୍ଝାରୁ ମାଛଟି ଖସି ବିଦ୍ୟୁତ୍‌ ଟ୍ରାନ୍‌ଫର୍‌ମର ଉପରେ ପଡ଼ିବାରୁ ତାହା ଫାଟିଗଲା। ଫଳରେ ସହରର ସେ ଅଞ୍ଚଳକୁ ବିଜୁଳି ଯୋଗାଣ ବ୍ୟାହତ ହେଲା।

‘ଫେସ୍‌ବୁକ୍‌’ ପୋଷ୍ଟ୍‌ରେ ସେର୍ଭିଲ୍‌ ପୁଲିସ ବିଭାଗ ଲେଖିଛି, ତଳ ସେର୍ଭିଲ୍‌ ଅଞ୍ଚଳର ବହୁ ଅଞ୍ଚଳରେ ବିଜୁଳି କଟିଯାଇଛି। ‘ଜର୍ସି ସେଣ୍ଟ୍ରାଲ୍‌ ପାୱାର୍‌ ଆଣ୍ଡ୍‌ ଲାଇଟ୍‌’ ରିପୋର୍ଟ କରିଛି ଯେ, ଗୋଟାଏ ଟ୍ରାନ୍‌ସ୍‌ଫର୍‌ମର୍‌ ଉପରୁ ମାଛଟିଏ ମିଳିଛି। ସେ ମାଛ ଟ୍ରାନ୍‌ସ୍‌ଫର୍‌ମର୍‌କୁ ନଷ୍ଟ କରି ଦେଇଛି। ଟ୍ରାନ୍‌ସ୍‌ଫର୍‌ମର୍‌ ଉପରକୁ ମାଛ ଗଲା କେମିତି?

ଟ୍ରାନ୍‌ସ୍‌ଫର୍‌ମର୍‌ ଉପରେ ମାଛ ପକାଇଥିବା ସେ ପକ୍ଷୀଟି ‘ସି ହକ୍‌’ ବା ସମୁଦ୍ର ବାଜ ବୋଲି ସନ୍ଦେହ କରାଯାଉଛି। କେବଳ ସେତିକି ନୁହେଁ ପୁଲିସ ସନ୍ଦିଗ୍ଧ ‘ସି ହକ୍‌’ ଓ ‘କ୍ରାଇମ୍‌ ସିନ୍‌’ର ସ୍କେଚ୍‌ ମଧ୍ୟ ଜାରି କରିଥିଲା। ସନ୍ଦିଗ୍ଧ ପକ୍ଷୀଟି ଦକ୍ଷିଣ ପ୍ରାନ୍ତକୁ ଉଡ଼ିଯାଉଥିବା ସେମାନେ ଦେଖିଥିବା କଥା ବି କହିଥିଲେ। ସରକାରୀ ଅଧିକାରୀମାନେ ମଜାରେ କହିଛନ୍ତି, ଆକାଶରେ ଉଡ଼ିଯାଉଥିବା ବେଳେ ସେ ପକ୍ଷୀଟି ଠିକ୍‌ ସମୟରେ ଭୁଲ୍‌ ସ୍ଥାନରେ ମାଛଟିକୁ ପକାଇ ଦେଇଛି।

Spread the love