୬ ମାସ ନଯାଉଣୁ ଭାଙ୍ଗିଗଲା ପ୍ରଧାନମନ୍ତ୍ରୀ ସଡ଼କ

ଚକାପାଦ: ଛଅମାସ ବିତିନି। ଏତେ ନିମ୍ନମାନର କାମ ହୋଇଛି, ପ୍ରଧାନମନ୍ତ୍ରୀ ସଡ଼କ ଦବିଗଲା। ଗୋଟିଏ ପାର୍ଶ୍ବରେ ପ୍ରାୟ ୫୦ ଫୁଟ ଗାର୍ଡ଼ୱାଲ୍‌ ଭୁଶୁଡ଼ି ପଡ଼ିଛି। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଶଙ୍କରାଖୋଲ ଠାରୁ ମିରିଗିସୁଗା, ଉଡୁଡେବା ଓ ମାଜାଗାଡ଼ା ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କର ଏ ଅବସ୍ଥା। ଏଭଳି ନିମ୍ନମାନ କାମ ହୋଇଛି, ସାମାନ୍ୟ ବର୍ଷାରେ ଗାର୍ଡ଼ୱାଲ୍ ଭୁଶୁଡ଼ି ମାଟି ଧସି ସବୁ ଧୋଇଯାଇ ଧାନ ବିଲରେ ପଶି ଫସଲ ନଷ୍ଟ ହୋଇଛି। ସେଭଳି ଉଡୁଡେବା ଗ୍ରାମ ନିକଟରେ ପିଚୁ ରାସ୍ତା ଦବି ମଝି ଅଂଶ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି। ନିର୍ମାଣ ବେଳେ କାମ ଅତି ନିମ୍ନମାନର ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ବି କେହି ଧ୍ୟାନ ଦେଲେନାହିଁ। ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ ନିର୍ମାଣ କାର୍ଯ୍ୟ ଯେନତେନ ସାରିଦେଲେ ବୋଲି ଗ୍ରାମର ରାଜ କହଁର, ରମେଶ କହଁର, ସୁକାନ୍ତ କହଁର, ମାଧବ କହଁର, ୱାର୍ଡ଼ସଭ୍ୟା ପ୍ରତିଭା ପ୍ରଧାନ, ଆନନ୍ଦେଶ୍ଵର କହଁର ଓ ପାର୍ବତୀ ପ୍ରଧାନଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଖରୀକୁ ଲାଗି ଅଳ୍ପ ଉଚ୍ଚରେ ପଥର ବାନ୍ଧି ୱାଲ୍ କରାଯାଇଥିବା ବେଳେ ତାହା କଂକ୍ରିଟ କରା ଯାଇ ନଥିବାରୁ ମାତ୍ର କେତେଟା ଦିନରେ ଏହା ଭୁଶୁଡି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଶଙ୍କରାଖୋଲ ଠାରୁ ମାଜାଗାଡ଼ା ପର୍ଯ୍ୟନ୍ତ ୫.୫ କିମି. ରାସ୍ତା ନିର୍ମାଣ ପାଇଁ ୨ କୋଟି ୩୯ ଲକ୍ଷ ୯୯ ହଜାର ୬୭୧ଟଙ୍କା ମଞ୍ଜୁର ହୋଇଥିଲା। ନିର୍ମାଣ କାର୍ଯ୍ୟ ୨୦୨୧ରୁ ଆରମ୍ଭ ହୋଇ ୨୦୨୨ରେ ଶେଷହେବା କଥା। କିନ୍ତୁ ତାହା ମନ୍ଥର ହୋଇ ୨୦୨୩ରେ ଶେଷ ହୋଇଥିଲା। ଶଙ୍କରାଖୋଲ ଠାରୁ ପ୍ରାୟ ୫୦୦ ମିଟର କଂକ୍ରିଟ ରାସ୍ତା କରା ଯାଇଥିବା ବେଳେ ବାକି ପିଚୁ ରାସ୍ତା ନିର୍ମାଣ କରାଯାଇଛି। ହେଲେ ପିଚୁ ଏଭଳି ଭାବେ ପକାଯାଇଛି ଯେ ଏବେ ତାହା ଉଠିଗଲାଣି।

ଗୁରୁତ୍ବପୂର୍ଣ୍ଣ ହେଲା, ରାସ୍ତା କାମ ଚାଲିଥିବା ବେଳେ କେନ୍ଦ୍ରୀୟ ଟିମ୍‌ ଅନୁଧ୍ୟାନ କରି ନିମ୍ନମାନ କାର୍ଯ୍ୟ ଦେଖି ଅସନ୍ତୋଷ ବ୍ୟକ୍ତ କରି ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା ବେଳେ ଉଭୟଙ୍କ ତଥ୍ୟର ତାଳମେଳ ରହିନଥିବାରୁ ଟିମ୍‌ ଅସନ୍ତୋଷ ପ୍ରକାଶ କରି କାମ ଭଲଭାବେ କରିବାକୁ ଚେତାବନୀ ଦେଇ ଯାଇଥିଲେ। ହେଲେ କେନ୍ଦ୍ରୀୟ ଟିମ୍‌ର ତାଗିଦ୍‌ କିଛି କାଟୁ କରି ନଥିଲା। ସେମାନେ ପରିଦର୍ଶନ ସାରି ଫେରିବା ପରେ ଯାହା ଚାଲିଥିଲା ସେୟା କଲେ। ନିମ୍ନମାନର କାମ କରି ଠିକାଦାର ବିଲ୍‌ ନେଇ ପାର ହୋଇଗଲା, ଯନ୍ତ୍ରୀ ବି ଖୁସ୍‌। ହେଲେ ୬ମାସ ଭିତରେ ଏହାର ଫଳ ଫଳିଲା। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ସୁରେଶ କୁମାର ରାଉତଙ୍କୁ ପଚାରିବାରୁ ସେ ଏହାର ଅନୁସନ୍ଧାନ କରିବେ ଓ ଘଟଣାସ୍ଥକୁ ଯାଇ ଦେଖିବା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Spread the love