୬୦ ଲକ୍ଷ ପୁରସ୍କାର ଘୋଷିତ ମାଓ ନେତା ରାଜୀ ରେଡ୍ଡୀର ମୃତ୍ୟୁ ଭିଡିଓ ଭାଇରଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ବସ୍ତର ଅଞ୍ଚଳର ୬୦ ଲକ୍ଷରୁ ଅଧିକ ଟଙ୍କା ପୁରସ୍କାର ଘୋଷିତ ମାଓ ନେତା ରାଜୀ ରେଡ୍ଡୀର ମୃତ୍ୟୁ ହୋଇଛି। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ରାଜୀ ରେଡ୍ଡୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ନିକଟରେ କିଛି ମହିଳା ମାଓବାଦୀ କାନ୍ଦୁଥିବାର ଭିଡିଓ ସମ୍ମୁଖକୁ ଆସିଛି। ଏହି ଭିଡିଓକୁ ନେଇ କେତେ ସତ୍ୟତା ରହିଛି ତାହାକୁ ନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେଲେଙ୍ଗାନା କରୀମନଗର ଜିଲ୍ଲାର ବାସୀନ୍ଦା ରାଜୀ ରେଡ୍ଡୀ। ଯେଉଁ ସମୟରେ ମାଓବାଦୀ ସଂଗଠନ ପାଦ ବିସ୍ତାର କରିବାକୁ ଲାଗିଲା, ସେତେବେଳେ ସେ ରାଜୀ ରେଡ୍ଡୀ ସଂଗଠନ ସହ ମିଶି କାର୍ଯ୍ୟ କରୁଥିଲେ। ବିଭିନ୍ନ ରାଜ୍ୟରେ ମାଓବାଦୀ ଦଳକୁ ବିସ୍ତାର ଏବଂ ମଜବୁତ କରିବା ପାଇଁ ସେ କାର୍ଯ୍ୟ କରିଥିଲେ। ଧୀରେ ଧୀରେ ରାଜୀକୁ ସଂଗଠନର ବଡ ଦାୟିତ୍ବ ମିଳିଥିଲା। ଏହାପରେ ସେ ମାଓ ସଂଗଠନର ବରିଷ୍ଠ ନେତା ଦାୟିତ୍ବ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ରାଜୀ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଛତିଶଗଡ ସମେତ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ସଂଗଠନ ପାଇଁ କାର୍ଯ୍ୟ କରିଛନ୍ତି। ତାଙ୍କ ନାମରେ ୬୦ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା। ସେ ଗତ କିଛି ମାସ ଧରି ଅସୁସ୍ଥ ହୋଇପଡିଥଲେ। ମାଓବାଦୀଙ୍କ ଡାକ୍ତରୀ ଦଳ ଜଙ୍ଗଲରେ ତାଙ୍କର ଚିକିତ୍ସା କରୁଥିଲେ। କିନ୍ତୁ ଗତକାଲି ଠାରୁ ଏକ ୩୪ ସେକେଣ୍ଡର ଭିଡିଓ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ କିଛି ମହିଳା ମାଓବାଦୀ କଳା ପୋଷାକ ପିନ୍ଧି କାନ୍ଧରେ ଅସ୍ତ୍ରଶସ୍ତ୍ର ଧରିଛନ୍ତି। ମୃତଦେହ ନିକଟରେ ବସି ଜୋରରେ କାନ୍ଦୁଥିବାର ଦୃଶ୍ୟ ରହିଛି। ଏଥିରୁ ରାଜୀ ରେଡ୍ଡୀର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି।

ଏଥିସହ ଛତିଶଗଡ-ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଏହି ଘଟଣା ଘଟିଥିବା ଆଶଙ୍କା କରାଯାଉଛି। କିନ୍ତୁ ରାଜୀ ରେଡ୍ଡୀଙ୍କ ମୃତ୍ୟୁକୁ ନେଇ ମାଓ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମିଳିପାରିନାହିଁ। ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି. କହିଛନ୍ତି ଯେ, ରାଜୀ ରେଡ୍ଡୀର ମୃତ୍ୟୁର ସମ୍ପର୍କରେ ସୂଚନା ମିଳିଛି। ଏନେଇ ଏକ ଭିଡିଓ ଆସିଥିବା ବେଳେ ଘଟଣାର ଅନୁସନ୍ଧାନ ଚାଲିଛି। ଏହି ବିଷୟରେ ପରେ ସୂଚନା ଦିଆଯାଇପାରିବ ବୋଲି କହିଛନ୍ତି।

Spread the love