କେବେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩ ? ଇସ୍ରୋ ଘୋଷଣା କଲା ତାରିଖ ଓ ସମୟ

ବେଙ୍ଗାଲୁରୁ :  ରୁଷର ଚନ୍ଦ୍ର ଅଭିଯାନ ଲୁନା-୨୫ ବିଫଳ ହେବା ପରେ ସମଗ୍ର ବିଶ୍ବର ନଜର ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ ରହିଛି । ଏହା ଫଳରେ ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଅଧିକ ସତର୍କ ହୋଇଯାଇଛି । ଏପର୍ଯ୍ୟନ୍ତ ଚନ୍ଦ୍ରଯାନ-୩ ଅତ୍ୟନ୍ତ ନିର୍ଭୁଲଭାବେ ନିଜର ସବୁ ପର୍ଯ୍ୟାୟକୁ ଅତିକ୍ରମ କରିଛି ଓ ଧୀରେ ଧୀରେ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେଉଛି । ତେବେ କେବେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ ?

ଇସ୍ରୋ ପକ୍ଷରୁ ରବିବାର ଚନ୍ଦ୍ରଯାନ-୩ର ମୃଦୁ ଅବତରଣ ତାରିଖ ଓ ସମୟ ଘୋଷଣା କରାଯାଇଛି । ଇସ୍ରୋ ପକ୍ଷରୁ କରାଯାଇଥିବା ଟୁଇଟ୍ ଅନୁସାରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରଯାନର ଲ୍ୟାଣ୍ଡର (ବିକ୍ରମ) ଏବଂ ରୋଭର (ପ୍ରଜ୍ଞାନ) ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବେ । ଏହି ଅବତରଣକୁ ଇସ୍ରୋର ଅଫିସିଆଲ ଓ୍ବେବସାଇଟ୍, ଫେସବୁକ ପେଜ୍ ଓ ୟୁଟ୍ୟୁବ ଚ୍ୟାନେଲ ତଥା ଦୂରଦର୍ଶନ ମାଧ୍ୟମରେ ସିଧାପ୍ରସାରଣ କରାଯିବ । ଏହା ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ଲ୍ୟାଣ୍ଡର ମଡ୍ୟୁଲ୍ ଟି ଡିବଷ୍ଟିଂ ଦେଇ ଚନ୍ଦ୍ରର ସାମାନ୍ୟ ନିମ୍ନ କକ୍ଷପଥରେ ଅବତରଣ କରିଥିଲା।

ଭାରତ ଗତ ଜୁଲାଇ ୧୪ରେ ଚନ୍ଦ୍ରଯାନ-୩ ମହାକାଶକୁ ପ୍ରେରଣ କରିଥିଲା । ଭାରତର ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠ ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ସେଠାରେ ମୃଦୁ ଅବତରଣ କରିପାରିନଥିଲା ।

Spread the love