ଜେଲ୍‌ରେ ବଦଳିଲା ପରିଚୟ, ଇମ୍ରାନ ଖାନ ହେଲେ ‘କଏଦୀ ନମ୍ବର ୮୦୪’

ପାକିସ୍ତାନର ଅଟକ୍‌ ଜେଲ୍‌ରେ ବନ୍ଦୀ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏବେ ଜେଲ୍‌ରେ ଇମ୍ରାନଙ୍କ ନାମ ଓ ଠିକଣା ବଦଳି ଯାଇଛି। ଇମ୍ରାନ ନିଜେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଭିଡିଓ ଆରମ୍ଭରେ ଏକ ଭଏସ୍‌ ଓଭର୍‌ ଆସୁଛି, ଯେଉଁଥିରେ କୁହାଯାଉଛି ଅଟକ୍‌ ଜେଲ୍‌, ବାରାକ୍‌ ନମ୍ବର ୩, କଏଦୀ ନମ୍ବର ୮୦୪। ଅର୍ଥାତ୍‌ ଜଣାପଡ଼ୁଛି ଯେ ଇମ୍ରାନ୍‌ ଖାନ ଅଟକ୍‌ ଜେଲ୍‌ର ବାରାକ୍‌ ନମ୍ବର ୩ରେ ବନ୍ଦୀ ଅଛନ୍ତି ଏବଂ ତାଙ୍କୁ କଏଦୀ ନମ୍ବର ୮୦୪ ମିଳିଛି। ଆଗକୁ ଭିଡିଓରେ ତାଙ୍କର ଉପଲବ୍ଧିଗୁଡ଼ିକ ବର୍ଣ୍ଣନା କରାଯାଉଛି। ଏଥିରେ କୁହାଯାଉଛି, ଆପଣ ଯେଉଁ କାମ କରିଛନ୍ତି, ତାହା ପାକିସ୍ତାନର ବର୍ତ୍ତମାନ ସରକାରଙ୍କ ନଜରରେ ଅପରାଧ। ଏଥିପାଇଁ ଆପଣଙ୍କ ଜାଗା ହେଉଛି ଜେଲ୍‌।

ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ, ପ୍ରଥମେ ଇମ୍ରାନଙ୍କୁ ଜେଲ୍‌ର ଏକ ଛୋଟିଆ କୋଠରୀରେ ରଖାଯାଇଥିଲା। ଏବେ ତାଙ୍କୁ ବାରାକ୍‌ ନମ୍ବର ୩କୁ ସିଫ୍ଟ କରାଯାଇଛି। ଇମ୍ରାନ ଖାନଙ୍କୁ ଅଟକ ଜେଲ୍‌ରେ ‘ସି କ୍ଲାସ୍‌’ର ସୁବିଧା ଦିଆଯାଉଛି। କହି ରଖୁଛୁ, ଇମ୍ରାନ ଖାନଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଟ୍ଵିଟରରେ ହ୍ୟାଶ୍‌ଟ୍ୟାଗ୍‌ କଏଦୀ ନମ୍ବର ୮୦୪ ଟ୍ରେଣ୍ଡ୍‌ କରୁଛି। ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫର ମୁଖ୍ୟ ଇମ୍ରାନ ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ରେ ଅଛନ୍ତି।

Spread the love