ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଶିବ ଶଙ୍କର ମିଶ୍ର, କୋରାପୁଟରୁ ଏମିତି ଥିଲା ତାଙ୍କ ଯାତ୍ରା

ଜୟପୁର: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି। ଶିବଶଙ୍କର ମିଶ୍ର ଜୟପୁର ଠାରେ ୧୯୬୮, ମେ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ଓ ସ୍ବର୍ଗତ ଶଶିରେଖା ମିଶ୍ରଙ୍କ ପୁଅ ଶିବଶଙ୍କର କୋରାପୁଟର ଜୟପୁର ଲ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତିଭାବେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ‌ପାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ମିଶ୍ର ୧୯୯୧, ଡିସେମ୍ବର ୭ରେ ଆଇନଜୀବୀ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ତାଙ୍କର ଏହି ପେଶାରେ ୩୦ ବର୍ଷର ଅନୁଭବ ରହିଛି। ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କ ବିଶେଷ ଦକ୍ଷତା ରହିଛି। ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି। ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି।

ବାପା ସ୍ବର୍ଗତ ଅନଙ୍ଗଭୀମ ମିଶ୍ର ପୁଲିସ ବିଭାଗରେ କନେଷ୍ଟବଲ ଭାବେ କାର୍ଯ୍ୟରତ ଥିଲେ। ସ୍ଥାନୀୟ ଜଗଦୀଶଚନ୍ଦ୍ର ପୌର ଉଚ୍ଚବିଦ୍ୟାଳୟରେ ସେ ୧୯୮୩ମସିହାରେ ମାଟ୍ରିକ ପାସ୍ କରିଥିଲେ। ଯଦିଓ ସେ ଦଶମ ପଢ଼ିବା ପର୍ଯ୍ୟନ୍ତ ସାଧାରଣ ଛାତ୍ର ରହିଥିଲେ ଯୁକ୍ତ ୨ ପଢ଼ିବା ପରେ ତାଙ୍କ ମଧ୍ୟରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥିଲା। ବିକ୍ରମ ଦେବ ମହାବିଦ୍ୟାଳୟରେ (ବର୍ତ୍ତମାନର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ)ରେ ସେ ରସାୟନ ବିଜ୍ଞାନରେ ସ୍ନାତକରେ ୧୯୮୮ରେ ପାସ୍ କରିଥିଲେ। ବିକ୍ରମ ଦେବ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ସେ ନାଟ୍ୟସଂସଦର ସଂପାଦକ ରହି ଆସିବା ସହ ଅନେକ ନାଟକରେ ଅଭିନୟ ବି କରିଥିଲେ। ଜୟପୁର ଆଇନ ମହାବିଦ୍ୟାଳୟରେ ୧୯୯୧ମସିହାରେ ଆଇନ ପାସ୍ କରିଥିଲେ। ଜୟପୁର ଆଇନମହାବିଦ୍ୟାଳୟରେ ସେ ପଢ଼ୁଥିବା ସମୟରେ ଛାତ୍ରସଂସଦର ସଭାପତି ଭାବେ ବି ନିର୍ବାଚିତ ହୋଇଥିଲେ।

ମଧ୍ୟବିତ ପରିବାରରେ ବାପାଙ୍କ ସ୍ବଳ୍ପଦରମାରେ ପାଂଚ ଭାଇ ଓ ତିନି ଭଉଣୀ ଚଳି ଆସୁଥିଲେ। ମା ସ୍ବର୍ଗତ ଶଶିରେଖା ମିଶ୍ର ଗୃହିଣୀ ଥିଲେ। ତାଙ୍କ ପାଂଚ ଭାଇ ମଧ୍ୟରୁ ସୁବାସ ମିଶ୍ର ବ୍ୟାଙ୍କ ଅଧିକାରୀ ଭାବେ ଅବସର ନେଇଥିବା ବେଳେ ପ୍ରକାଶ ମିଶ୍ର ସହରର ପ୍ରସିଦ୍ଧ ଶିକ୍ଷାବିତ୍ ଭାବେ ସବୁ ମହଲରେ ପରିଚିତ। ତାଙ୍କ ସ୍ତ୍ରୀ ପ୍ରଭାତୀ ନାୟକ ସାମ୍ବାଦିକ ଭାବେ ବେଶ ଜଣାଶୁଣା। ପୁଅ ଅନମୋଲ ୮ମରେ ପଢ଼ୁଥିବା ସୂଚନା ଦେଇଛନ୍ତି ଭାଇ ପ୍ରକାଶ ମିଶ୍ର। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ହାଇକୋର୍ଟ ବିଚାରପତି ର୍ସ୍ବଗତ ବାଳକ୍ରୀଷ୍ଣା ପାତ୍ର ନିଯୁକ୍ତ ହୋଇଥିଲେ। ଦ୍ବିତୀୟରେ ନବରଙ୍ଗପୁରର ରାଧାକୃଷ୍ଣ ପାତ୍ର ନିଯୁକ୍ତି ପାଇଥିଲେ। ମନୋନୀତ ହୋଇଥିବା ଶିବଶଙ୍କର ମିଶ୍ର ନିଯୁକ୍ତ ହେଲେ ତୃତୀୟ ସ୍ଥାନ ହାସଲ କରିବେ। ଗୋଟିଏ ସାଧାରଣ ପରିବାରର ଶିବଶଙ୍କର ମିଶ୍ର ନିଜର ଅଦମ୍ୟ ଦୃଢ଼ଇଛାଶକ୍ତି ଓ ମନୋବଳ ଯୋଗୁଁ ଆଜି ସେ ହାଇକୋର୍ଟର ବିଚାରପତି ପାଇଁ ମନୋନୀତ ହୋଇଛନ୍ତି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାଁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ୨୦୨୩, ଜାନୁଆରି ୧୭ରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନାଁ ସୁପାରିସ କରିଥିଲେ। ଏହି ସୁପାରିସକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସମ୍ମତି ପ୍ରଦାନ କରିଥିଲେ। ଏହାପରେ ଶ୍ରୀ ମିଶ୍ର ଓ ଶ୍ରୀ ବେହେରାଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯାଇଛି।

Spread the love