ଭୁବନେଶ୍ବରର ସମସ୍ତ ୪ଟି ଯାକ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲାଯିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସଜାଗ ହୋଇଉଠିଛି। ଭୁବନେଶ୍ବରର ସମସ୍ତ ୪ଟି ଯାକ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲାଯିବ ଓ ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ବେଡ୍ ରହିବ। ଏଭଳି ନିଷ୍ପତ୍ତି ନେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଚଳିତ ବର୍ଷ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରୁ ୧ ହଜାର ୫୯ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି। ବ୍ଲଡ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଏଣେ ଡେଙ୍ଗୁ ମୃତ୍ୟୁ ହାର ଶୂନ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ସବୁ ଜିଲ୍ଲାରେ ବିଶେଷଜ୍ଞ କମିଟି ରହିଛି। ବିଶେଷଜ୍ଞ କମିଟି ଯାଞ୍ଚ କରି ତଥ୍ୟ ଦେବା ପରେ ଡେଙ୍ଗୁ ମୃତ୍ୟୁ ଜଣାଯାଏ। ଏବେ ସୁଦ୍ଧା କୌଣସି ଡେଙ୍ଗୁ ମୃତ୍ୟୁ ତଥ୍ୟ ନାହିଁ ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିହ୍ନଟ ହେଲେଣି ପ୍ରାୟ ୫୦% ଅଧିକ ଡେଙ୍ଗୁ ରୋଗୀ । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁ ସ୍ଥିତି ଭୟାବହ ନାହିଁ, ସ୍ଥିର ରହିଛି । ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ିଥିବାରୁ ବଢ଼ିଛି ରୋଗୀ ସଂଖ୍ୟା। ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ୨୪୨୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୨୨୦ ପଜିଟିଭ । ସେହିଭଳି ପୁରୀରୁ ୨୨୯ ଜଣ, ବାଲେଶ୍ଵରରୁ ୨୧୨ ଓ କଟକରୁ ୧୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କିନ୍ତୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା କମ୍ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଏପଟେ ଆସନ୍ତାକାଲିଠାରୁ ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର । ଦୈନିକ ପ୍ରାୟ ୫୦୦ ଲୋକଙ୍କର ଡେଙ୍ଗୁ ଟେଷ୍ଟ ହେଉଥିବାରୁ ଭିଡ଼ ଏଡ଼ାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି, ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୫ ଜଣ ଆଡମିଶନ ହେଉଛନ୍ତି। ଏବେ ବେଡରେ ୬୨ ରୋଗୀ ଅଛନ୍ତି । ସ୍ଵତନ୍ତ୍ର ବେଡ ନଥିବାରୁ ଫୋଲ୍ଡିଂ ଖଟ କିଣାଯାଇ ତଥା ବନ୍ଦ ଥିବା କ୍ୟାଥଲ୍ୟାବ ରୁମକୁ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଛି ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଲକ୍ଷ୍ମୀଧର ସାହୁ।

Spread the love