ଦିଲ୍ଲୀରୁ ଗିରଫ ହୋଇ ଜେଲ ଗଲେ ପଳାତକ ପୂର୍ବତନ ବିଡିଓ

ଜୟପୁର: ୭ଟି ଦୁର୍ନୀତି ମାମଲାରେ ଗତ ୮ ବର୍ଷ ହେବ ଫେରାର ଥିବା କୋରାପୁଟ ଜିଲ୍ଲା ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା ଜୟପୁର ଭିଜିଲାନସ୍ ଟିମ୍। ଦିଲ୍ଲୀର କୋର୍ଟରେ ହାଜର କରାଯାଇ ତାଙ୍କୁ ରିମାଣ୍ଡରେ ଅଣାଯାଇଥିଲା। ବୁଧବାର ଜୟପୁର କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। କୋର୍ଟ ଅଭିଯୁକ୍ତ ପୂର୍ବତନ ବିଡିଓଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛି। ଆସନ୍ତାକାଲି (ଶୁକ୍ରବାର) ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ରହିଥିବା ସୂଚନା ମିଳିଛି। ଏହା ସହ ସିଡି ଫୋର କଲ୍ (କେସ୍ ଡାୟରୀ ଦାଖଲ) କରିବାକୁ କୋର୍ଟ ନି‌ର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଠ ବର୍ଷ ତଳେ ରମେଶ ଚନ୍ଦ୍ର ସାହୁ ନାରାୟଣପାଟଣା ବ୍ଲକ୍‌ରେ ବିଡିଓ ଭାବେ କାର୍ଯ୍ୟରତ ଥିଲେ। ୨୦୧୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ନାରାୟପାଟଣାର ବିଡିଓ ଭାବେ ରହିଥିଲେ। ୮ ବର୍ଷ ହେବ ସେ ନିୟମିତ ଭାବେ ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାଙ୍କୁ ଧରିବାରେ ଅସଫଳ ହେଉଥିଲା ଭିଜିଲାନ୍ସ। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ରହିଛି । ତୋଭାପଦର, ମନଙ୍କେଡି, ଡୁମୁସିଲି, ଦଲେଇପଟରେ ମୋଟ ୧୪ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ରହିଛି । ସେହିପରି ରାସ୍ତା ନିର୍ମାଣରେ ୫ଲକ୍ଷ, ଏବଂ ମନରେଗାରେ ୫ଲକ୍ଷ ଟଙ୍କା ଦୁର୍ନୀତି କରିଛନ୍ତି। ଏପରି ସେହି ସମୟରେ ବ୍ଲକ୍‌ର ଉନ୍ନୟନମୂଳକ କାର୍ଯ୍ୟର ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କ ନାମରେ ସରକାରଙ୍କ ତରଫରୁ ସାତଟି ମାମଲା ରୁଜୁ ହୋଇଥିଲା। ଏଥି ସହ କିଛି ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ବେଳେ ସେମାନେ କିଛି ଟଙ୍କା ପୈଠ କରି ଦୋଷମୁକ୍ତ ହୋଇଥିଲେ। ହେଲେ ଶ୍ରୀ ସାହୁ କିନ୍ତୁ ଫେରାର ହୋଇ ଯାଇଥିଲେ। ପରେ ରାଜ୍ୟ ସରକାର ତାଙ୍କୁ ପଳାତକ ଘୋଷଣା କରିଥିଲେ।

Spread the love