ଜାଲ୍ ଦସ୍ତଖତରେ ଟଙ୍କା ଉଠାଇ ବନ୍ଧାହେଲେ ୩ ବ୍ୟାଙ୍କ କର୍ମଚାରୀ
ବ୍ୟାଙ୍କ ଅଧିକାରୀଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ବିଡିଓଙ୍କ ଦସ୍ତଖତକୁ ନକଲ୍ କରି ଉଠାଇନେଲେ ଲକ୍ଷାଧିକ ଟଙ୍କା। ଏପରି ଘଟଣା ସମ୍ୱଲପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ବ୍ଲକ୍ କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।
ରେଙ୍ଗାଲି ବ୍ଲକ୍ର ପୂର୍ବତନ ବିଡିଓଙ୍କ ଦସ୍ତଖତକୁ ନକଲି କରି ସେଲ୍ଫ ଚେକ୍ ଜରିଆରେ ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ଅନିର୍ବାଣ ଦେବ, କ୍ୟାସିଅର୍ ସୁଧୀର କୁମାର ମେହେର ଓ ପୂର୍ବତନ କ୍ୟାସିଅର ତଥା ବର୍ତ୍ତମାନ ବନ୍ଧନ ବ୍ୟାଙ୍କ ରାଇରଙ୍ଗପୁର ଶାଖାର କ୍ୟାସିଆର୍ ପ୍ରବୀଣ ଭାରତୀ ବ୍ଲକ୍ର ପେନସନ୍ ଆକାଉଣ୍ଟରୁ ୧୨ ଲକ୍ଷ ୪୭ ହଜାର ୫୨୦ଟଙ୍କା ଉଠାଇ ନେଇଥିଲେ। ଏନେଇ ବ୍ଲକ କର୍ତ୍ତୃପକ୍ଷ ଟେର ପାଇନଥିଲେ। ପରେ ଅର୍ଥାତ ଗତ ଡିସେମ୍ୱର ୨୩ ତାରିଖରେ ଟଙ୍କା ହେରଫେର୍ ନେଇ ଜଣାପଡ଼ିଥିଲା।ରେଙ୍ଗାଲି ବ୍ଲକର ବର୍ତ୍ତମାନର ବିଡିଓ ଶଙ୍କର ପ୍ରସାଦ ସାହୁ ଜାଣିପାରି ଏନେଇ ଠେଲକୋଲୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଏହି ତିନି ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଗତକାଲି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।
