ଆପୋଲୋ ହସ୍ପିଟାଲରେ କିଡ୍‌ନି ଚୋରି ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କିଡ୍‌ନି ଚୋରି ଘଟଣାରେ ଆପୋଲୋ ହସ୍ପିଟାଲ ପଞ୍ଜୀକରଣ ରଦ୍ଦ କରିବା ସହିତ ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ମାନବିକ କମିସନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିା କଥା ସାମ୍ନାକୁ ଆସିଛି । ତେବେ ଏହି ଘଟଣାକୁ ନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଘଟଣା ସଂପର୍କରେ ସଂପୂର୍ଣ୍ଣ  ଅନୁଧ୍ୟାନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ ତର୍ଜମା କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ।

୨୦୧୩ ମସିହାରେ ବରଗଡ଼ ଜିଲ୍ଲାର ଅନିଲ କୁମାର ସ୍ୱାମୀଙ୍କ କିଡ୍‌ନିକୁ ବେଆଇନ ଭାବେ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିଲା। ଏହାକୁ ନେଇ ୨୦୧୬ ମସିହାରେ ଅନିଲ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପରେ ମାନବାଧିକାର କର୍ମୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। କମିସନ ଗତ ଅଗଷ୍ଟ ମାସରେ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ ସହିତ ପୀଡ଼ିତକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପୂର୍ବରୁ ନିର୍ଦେଶ ଦେଇଥିଲେ। ଏହାର ବିରୋଧରେ ହସ୍ପିଟାଲ କର୍ତୃପକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କମିସନ ହସ୍ପିଟାଲ କର୍ତୃପକ୍ଷଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି।

Spread the love