ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ପାଇଁ ନିର୍ଦ୍ଦେଶ, କୋର୍ଟ କହିଲେ ଅଭିଯୁକ୍ତ ନ ଦର୍ଶାଇ ତଦନ୍ତ କରୁ ପୁଲିସ୍

ନୂଆଦିଲ୍ଲୀ: ବିଜେପି ନେତା ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପାତ୍ରଙ୍କୁ ଅଭିଯୁକ୍ତ ନ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ନଭେମ୍ବରରେ ଆସିଥିବା ଦିଲ୍ଲୀର ଏକ ମାଜିଷ୍ଟ୍ରେଟ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସମ୍ବିତ ପାତ୍ର ଦାୟର କରିଥିବା  ପୁନର୍ବିଚାର ଆବେଦନକୁ ତିସ୍ ହଜାରି ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଏବେ ସମ୍ବିତଙ୍କ ବିରୋଧରେ ଏତଲା ରୁଜୁ ହୋଇପାରେ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କୃଷି ଆଇନକୁ ସମର୍ଥନ କରୁଥିବା (ବର୍ତ୍ତମାନ ପ୍ରତ୍ୟାହାର ହୋଇଛି) ସଂପର୍କିତ ଏକ ଏଡିଟେଡ୍ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗରେ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମାଜିଷ୍ଟ୍ରେଟ୍ ଦିଲ୍ଲୀ ପୁଲିସକୁ ୨୦୨୧ ନଭେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ । ଆପ୍ ନେତା ଅତିସୀ ମାର୍ଲେନାଙ୍କ ଅଭିଯୋଗ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସମ୍ବିତ ତିସ ହଜାରି କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ସେସନ୍ସ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ତେବେ ଏଫଆଇଆରରେ ସମ୍ବିତ ପାତ୍ରଙ୍କୁ ଅଭିଯୁକ୍ତ ଭାବେ ନାମିତ ନକରି ଅଭିଯୋଗର ତଦନ୍ତ କରିବାକୁ ଅତିରିକ୍ତ ସେସନ୍ସ ଜଜ୍ ଧୀରଜ ମୋର ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ପୁଲିସର ପ୍ରାରମ୍ଭିକ ରିପୋର୍ଟକୁ ଉଲ୍ଲେଖ କରିଛନ୍ତି, ଯାହା ଅନୁଯାୟୀ ସମ୍ବିତ ପାତ୍ର ଏହି ନକଲି ଭିଡିଓର ପ୍ରଯୋଜକ ନଥିଲେ ଏବଂ ଅଜାଣତରେ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ କରିଥିଲେ ।

Spread the love