ଜହ୍ନରେ ଜଗା କିଣି ରାଖିପୂର୍ଣ୍ଣିମାରେ ଭଉଣୀକୁ ଉପହାର ଦେଲା ଭାଇ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୩’ ଚନ୍ଦ୍ରରେ ସଫଳତାପୂର୍ଣ୍ଣ ଅବତରଣକୁ ନେଇ ବିଶ୍ବରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି କ୍ରମରେ ରାଜସ୍ଥାନର ଜଣେ ଯୁବକ ଜହ୍ନରେ ଦୁଇବିଘା ଜମି କଣିଛନ୍ତି। ଆଉ ଏହି ଜମିକୁ ‌ରାଖି ବାନ୍ଧିବା ପରେ ସେ ତାଙ୍କ ଦୁଇଭଉଣୀଙ୍କୁ ଉପହାରରେ ଦେଇଛନ୍ତି। ଏହି ଜମି କିଣିବା ପାଇଁ ତରୁଣଙ୍କୁ ୧୫୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥିଲା ବୋଲି ଜଣାପଡ଼ିଛି।

ଜହ୍ନରେ ଲେକ୍ ଅଫ ହାପିନେସ ନିକଟରେ ଦୁଇବିଘା ଜାଗା କିଣି କରୋଲିରେ ବସବାସ କରୁଥିବା ତରୁଣ ଅଗ୍ରୱାଲ ତାଙ୍କ ଦୁଇଭଉଣୀ ପ୍ରିୟଙ୍କା ଓ ସୋନିଆ ଆଗ୍ରୱାଲଙ୍କୁ ଦେଇଛନ୍ତି। ଭାଇ ତରୁଣଠାରୁ ଏହି ଉପହାର ପାଇବା ପରେ ଭଉଣୀ ପ୍ରିୟଙ୍କା ଓ ସୋନିଆ କହିଛନ୍ତି, ‘ଭାଇ ତୋର ଏହି ଉପହାର ଜୀବନସାରା ମନେ ରହିବ। ଜହ୍ନକୁ ଯିବୁ କି ନାହିଁ ତାହା ପରକଥା। କିନ୍ତୁ ଏବେ ଯେତେବେଳେ ବି ଜହ୍ନକୁ ଦେଖିବୁ ଆମର ବି ଏଠାରେ ଜଗା ଅଛି ଭାବି ଖୁସି ହେବୁ, ଯାହାକି ଆମ ଭାଇ ରକ୍ଷାବନ୍ଧନରେ ଆମକୁ ଉପହାର ଦେଇଛି।’

ତରୁଣ ଭଉଣୀଙ୍କୁ ଏଭଳି ଉପହାର ଦେଇଥିବା ଘଟଣାକୁ ନେଇ କହିଛନ୍ତି, ‘ଜହ୍ନରେ ଦୁଇବିଘା ଜମି କିଣିବା ପାଇଁ ଆମେରିକାସ୍ଥିତ ଇଣ୍ଟର‌ନ୍ୟାସନାଲ ଲୁନାର ଲ୍ୟାଣ୍ଡ ଅଥରିଟିରେ ଦେଢ଼ ମାସ ପୂର୍ବରୁ ଆବେଦନ କରିଥିଲି। ଦେଢ଼ ମାସର ପ୍ରକ୍ରିୟା ‌‌ଶେଷହେବା ପରେ ରାଖିର ପୂର୍ବଦିନ ମୁଁ ଏହାକୁ ନକ୍ସା ସହିତ ପ୍ରାପ୍ତ କରିଥିଲି। ତେଣୁ ମୋ ଦୁଇଭଉଣୀଙ୍କୁ ରାଖି ବନ୍ଧାରେ ଉପହାର କ’ଣ ଦେବି ବୋଲି ଚିନ୍ତା କରୁଥିବା ବେଳେ ଏହା ଏକ ସୁନ୍ଦର ଓ ସ୍ବତନ୍ତ୍ର ଉପହାର ହେବ ବୋଲି ଭାବି ମୁଁ ପ୍ରିୟଙ୍କା ଓ ସୋନିଆଙ୍କୁ ଏହା ଦେଇଥିଲି।’

Spread the love