‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପାଇଁ ଆମେ ପ୍ରସ୍ତୁତ ବୋଲି କହିଲେ ବଦ୍ରି, ଭୟଭୀତ ହୋଇ ଆଗୁଆ ନିର୍ବାଚନ ଚାହୁଛନ୍ତି କହିଲେ ନରସିଂହ

ଭୁବନେଶ୍ବର: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିବା ବେଳେ ଏନେଇ ନିଜ ନିଜର ମତ ରଖିଛନ୍ତି ବିଜେଡ଼ି ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ବଦ୍ରି ନାରାୟଣ ପାତ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘‘ଏହି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’  ଆଇନ ଆସିଲେ ଆଗୁଆ ନିର୍ବାଚନ ହୋଇପାରେ। ଏଥିରେ କିଛି ଅସୁବିଧା ନାହିଁ। ଏଥିରେ କିଛି ରାଜ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି, ଯେଉଁ ସବୁ ରାଜ୍ୟରେ ନିକଟରେ ନିର୍ବାଚନ ସରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଅନ୍ୟ ଦଳ ଅପେକ୍ଷା ଆମେ ସବୁ ବେଳେ ଅଧିକ ପ୍ରସ୍ତୁତ।’’

ଏନେଇ ନରସିଂହ ମିଶ୍ର ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ‘‘ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ରେ ଯଦି ଅସୁବିଧା ନଥାଏ ତାହେଲେ କରାଯାଇପାରେ। ବିଲ୍‌ଟି ନ ଆସିବା ପୂର୍ବରୁ ତା’ ବିଷୟରେ କହିବା ଅନୁଚିତ୍। ବିଜେପି  ଆଗୁଆ ନିର୍ବାଚନ କରିବାକୁ ଚାହୁଁଛି। ସର୍ଭେରୁ ଜଣାପଡ଼ୁଛି ମୋଦୀଙ୍କ ଲୋକପ୍ରିୟତା ନାହିଁ। ଉପାୟ ଖୋଜୁଛନ୍ତି ଆଗୁଆ ନିର୍ବାଚନ ପାଇଁ। ଭୟଭୀତ ହୋଇ ଆଗୁଆ ନିର୍ବାଚନ କରିବାକୁ ଚାହୁଁଛନ୍ତି। ‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁଯାୟୀ ନବୀନବାବୁଙ୍କ ଲୋକପ୍ରିୟତା କମୁଛି। ବର୍ଷେ ଭିତରେ ୧୭% କମିଛି। ଯେତେ ମାସ ଗଡୁଛି ଲୋକପ୍ରିୟତା ସେତେ କମି କମି ଯାଉଛି। ସେଥିପାଇଁ ଆଗୁଆ ନିର୍ବାଚନ କଥା ଚିନ୍ତା କରୁଛନ୍ତି।’’

Spread the love