କେମିତି ମୃତ୍ୟୁ ହେଲା ଇତିଶ୍ରୀଙ୍କର, ହତ୍ୟା ନା ଆତ୍ମହତ୍ୟା ?

ବଧୂ ହତ୍ୟା ଅଭିଯୋଗ। ବାଲେଶ୍ଵର ସହଦେବଖୁଣ୍ଟା ଥାନା କୁଅଁ ଛକ ନିକଟରେ ଥିବା ଶାଶୁ ଘର ଲୋକ ବଧୂ ଇତିଶ୍ରୀ ପଣ୍ଡାଙ୍କୁ ପିଟି ପିଟି ହତ୍ୟା କରିଥିବା ପରେ ରଶିରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଇତିଶ୍ରୀଙ୍କ ବାପ ଘର ଲୋକ। ଇତିଶ୍ରୀଙ୍କ ଆଣ୍ଠୁ, ହାତ ଓ ଗୋଡରେ ଦାଗ ରହିଛି। ତାଙ୍କୁ ଶାଶୁ ଘର ଲୋକ ମିଶି ହତ୍ୟା କରିଥିବା ଇତିଶ୍ରୀର ଭାଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି।
ଇତିଶ୍ରୀର ବାହାଘର ମାତ୍ର ୩ ବର୍ଷ ହୋଇଥିଲା। ଶାଶୁ ଘର ଲୋକ ଅଧିକ ଯୌତୁକ ମାଗୁଥିବା ବେଳେ ଗର୍ଭ ନଷ୍ଟ ଯୋଗୁଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ରାକ୍ଷୀ ପୂର୍ଣ୍ଣିମାରେ ବାଲେଶ୍ଵର ଆଜିମାବାଦରେ ଥିବା ବାପ ଘରକୁ ଶେଷଥର ପାଇଁ ଆସିଥିଲେ। ଶାଶୁ ଘରକୁ ଯିବା ପରେ ବୋହୁର ମୃତ୍ୟୁ ସମ୍ପର୍କରେ ବାପ ଘରକୁ ଖବର ଦିଆଯାଇଥିଲା। ବାପ ଘର ଲୋକ ଯାଇ ଦେଖିଥିଲେ ଶୋଇବା ଘରେ ଏକ ଖଟରେ ଝିଅର ମୃତ ଦେହ ରଖାଯାଇଛି। ଦେହର ବିଭିନ୍ନ ସ୍ଥାନରେ ଦାଗ ଦେଖି ଝିଅକୁ ପିଟି ପିଟି ହତ୍ୟା କରାଯାଇଛି ବୋଲି ଥାନାରେ ବାପ ଘର ଲୋକ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଏହି ଅଭିଯୋଗକୁ ମିଥ୍ୟା ଓ ବୋହୁ ନିଜେ ଆତ୍ମହତ୍ୟା କରିଛି ବୋଲି ଶାଶୁଘର ଲୋକ କହିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି। ତେବେ ଶବ ବ୍ୟବଚ୍ଛେଦ ପରେ ଇତିଶ୍ରୀଙ୍କ ପରିବାର ପକ୍ଷରୁ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତଦେହକୁ ଶଶୁର ଘର ଆଗରେ ରଖି ପରିବାର ଲୋକେ ପ୍ରତିବାଦ କରିଥିଲେ । ଏହି ଘଟଣାରେ ପରିବାର ଲୋକେ ଇତିଶ୍ରୀଙ୍କ ଦେଢ଼ଶୁର ଓ ଯାଆ ଘରୁ ଫେରାର ଅଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ଉପୁଜିଛି । ତେବେ ସହଦେବ ଖୁଣ୍ଟା ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love