ଗେଷ୍ଟ ହାଉସରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ, ଯୁବତୀ ଅଟକ
ଭଦ୍ରକ: ଭଦ୍ରକର ଚରମ୍ପା ରେଳ ଷ୍ଟେସନ ନିକଟସ୍ଥ ଏକ ଗେଷ୍ଟହାଉସ ଭିତରୁ ଆଜି ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ହେଲେ ଦେବରାଜ ସାମଲ (୨୩)। ତାଙ୍କ ଘର ଭଣ୍ଡାରିପୋଖରୀ ଥାନା ଅନର୍ଗତ ଜଳହରି ଗ୍ରାମରେ ବୋଲି ଜଣାପଡ଼ିଛି। ପୁଲିସ ସନ୍ଦେହରେ ଜଣେ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ ଭଣ୍ଡାରିପୋଖରୀ ଥାନା ଅନର୍ଗତ ଜଳହରି ନିବାସୀ ଦୁର୍ଯ୍ୟୋଧନ ସାମଲଙ୍କ ପୁଅ ଦେବରାଜ ରବିବାର ରାତିରେ ବନ୍ତ ଥାନା ଅଞ୍ଚଳର ତାଙ୍କର ଜଣେ ବାନ୍ଧବୀଙ୍କ ସହ ଗେଷ୍ଟ ହାଉସରେ ରହିଥିଲେ। ବାନ୍ଧବୀଙ୍କ ସହ ସାଙ୍ଗ ହୋଇ ରାତ୍ରୀଯାପନ କରିବା ପରେ ହଠାତ୍ ରାତି ଅଧରେ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ଏହି ଘଟଣା ପରେ ଭଦ୍ରକ ଟାଉନ ପୁଲିସକୁ ଗେଷ୍ଟହାଉସ ପକ୍ଷରୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଗେଷ୍ଟହାଉସ ଭିତରେ ଗୋଟିଏ ରୁମରେ ଯୁବକଙ୍କ ସହ ରହିଥିବା ଯୁବତୀଙ୍କୁ ପୁଲିସ ହେପାଜତକୁ ନେଇ ଯୁବକଙ୍କ ମୃତ୍ୟୁର କାରଣ ସପର୍କରେ ପଚରାଉଚରା କରିବା ସହ କେଉଁ ପରିସ୍ଥିତିରେ ସେମାନଙ୍କର ସମ୍ପର୍କ ଗଢ଼ି ଉଠିଥିଲା ଓ କିଭଳି ଭାବରେ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ ସେ ସମ୍ପର୍କରେ ପଚରାଉଚରା କରିଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କୁ ପୁଲିସ ଆସିଆନ ହୋମରେ ରଖିବାର ବ୍ୟବସ୍ଥା କରିଛି। ଭଦ୍ରକ ମେଡ଼ିକାଲରେ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଅନ୍ୟପଟରେ ଗେଷ୍ଟହାଉସ ଭିତରେ ଯୁବକ ଦେବରାଜ ଆତ୍ମହତ୍ୟା କରିନି। ତାକୁ କୌଶଳ କରାଯାଇ ହତ୍ୟା କରାଜିଛି ବୋଲି ମୃତ ଦେବରାଜଙ୍କ ପରିବାର ଲୋକେ ପୁଲିସ ଆଗରେ ଅଭିଯୋଗ କରିଛନ୍ତି। ଗେଷ୍ଟହାଉସ ଭିତରେ ଥିବା ସଂପୃକ୍ତ ଯୁବତୀଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିବା ସହ ଏହି ହତ୍ୟାକାଣ୍ଡ ପାଇଁ ଘରେ ଅସଲ ରହସ୍ୟ କଣ ରହୁଛି ତାହା ଉପରେ ପୁଲିସ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ଆଜି ଚରମ୍ପା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଦେବରାଜ ବାପା-ମାଆଙ୍କର ଏକମାତ୍ର ପୁଅ ହୋଇଥିବାରୁ ଘର ଏବେ ପୁତ୍ରଶୂନ୍ୟ ହୋଇଯାଇଛି। ଗତ କିଛି ଦିନ ହେଲା ଦେବରାଜ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନିରେ ଚାକିରି ପାଇଥିଲେ। ଦେବରାଜଂକୁ କିଏ ଓ କାହିଁକି ହତ୍ୟା କରିଛି ତାହାର କାରଣ ଖୋଜୁଛି ଭଦ୍ରକ ପୁଲିସ।