ଲେଖିକି ଦିଅ- କଶ୍ମୀର ଭାରତର ଅଭିନ୍ନ ଅଙ୍ଗ” କଶ୍ମୀର ସାଂସଦ ଅକବର ଲୋନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ବିଧାନସଭାରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବା ଓ ବିଚ୍ଛିନ୍ନତାବାଦୀଙ୍କୁ ସମର୍ଥନ କରୁଥିବା ନ୍ୟାସନାଲ କନଫରେନ୍ସ  ସାଂସଦ ମହମ୍ମଦ ଆକବର ଲୋନଙ୍କ ଉପରେ ଭାଷଣ କ୍ଷୁବଧ ହୋଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ତାଙ୍କଠାରୁ ଏକ ଲିଖିତ ସତ୍ୟପାଠ ମାଗିଛନ୍ତି କୋର୍ଟ, ଯେ ସେ ଦେଶର ଅଖଣ୍ଡତା ସପକ୍ଷରେ ଅଛନ୍ତି, ଦେଶର ସମ୍ବିଧାନ ଉପରେ ବିଶ୍ବାସ ରଖନ୍ତି ଏବଂ ଜମ୍ମୁ-କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବନ୍ତି।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନର ଜଣେ ପ୍ରମୁଖ ଆବେଦନକାରୀ ଅଛନ୍ତି ଲୋନ୍ । ଆଜି ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କୁ ସତ୍ୟପାଠ ମାଗିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ୍ ତୁଷ‌ାର ମେହେଟ୍ଟା ଲୋନ୍ ସତ୍ୟପାଠ ଦାଖଲ କରିବା ଉପରେ ଗୁରୁତ୍ବ ଦେଇଥିଲେ।

ଲୋନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ପରିଚାଳନା କରୁଛନ୍ତି। ଯୁକ୍ତି ବେଳେ ସିବଲ ଜମ୍ମୁ-କଶ୍ମୀରରେ ଜନମତ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତୁରନ୍ତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଭାରତୀୟ ସମ୍ବିଧାନରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ବିଚାରପତିମାନେ ସ୍ପଷ୍ଟ ଭାବେ କହିଥିଲେ। ଅନ୍ୟ ପକ୍ଷରେ ସିବଲ ସ୍ପଷ୍ଟ କରିଛନ୍ତି ଯେ ଅଦାଲତ ଦେଇଥିବା ସମୟସୀମା ମଧ୍ୟରେ ଲୋନ୍ ଲିଖିତ ସତ୍ୟପାଠ ଦାଖଲ କରିବେ। ଯଦି ସେ ନକରନ୍ତି ତେବେ ସେ ମାମଲାରୁ ଓହରି ଯିବେ ବୋଲି କପିଲ ସିବଲ୍ କହିଛନ୍ତି।

ମହମ୍ମଦ ଆକବର ଲୋନ୍ ପାକିସ୍ତାନକୁ ସମର୍ଥନ କରୁଥିବା ଜମ୍ମୁ-କଶ୍ମୀରରେ ସକ୍ରିୟ ବିଚ୍ଛିନ୍ନତାବାଦୀ ଶକ୍ତିର ସମର୍ଥକ ଭାବେ ଜଣାଶୁଣା। ସେ ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ଥିଲେ ଏବଂ ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ଭଳି ସ୍ଲୋଗାନ ଦେଇଥିଲେ।

Spread the love