ରୋବୋଟିକ୍ସ ଓ ଡ୍ରୋନ୍ ଟେକ୍ନୋଲୋଜି ବିଷୟରେ ଅତିରିକ୍ତ ତାଲିମ ନେଇ ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିଙ୍ଗାପୁରର ଇନଷ୍ଟିଚୁ୍ୟଟ ଅଫ୍ ଟେକନିକାଲ ଏଜୁକେସନରେ (ଆଇଟିଇ) “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀ। ମଙ୍ଗଳବାର ଅପରାହ୍ଣରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନଯୋଗେ ଆସିଥିଲେ। ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ “ଆଇଟିଇ’ରେ ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ଅତିରିକ୍ତ ତାଲିମ ନେଇଥିଲେ । ଡ୍ରୋନ୍ ଏବଂ ରୋବୋଟିକ୍ସର କୋର୍ଡିଂ ଓ ଏହାର ପରିଚାଳନା ବିଷୟରେ ସେମାନେ ଅଧିକ ଶିକ୍ଷାଲାଭ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ସେଠାରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳରେ ର୍ନିମିତ ବିଭିନ୍ନ ଉପକରଣ ବୁଲି ଦେଖିବା ସହ ଏହାର ପ୍ରୟୋଗ ବିଷୟରେ ପଚାରି ବୁଝିଥିଲେ ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଦେଶରୁ ସେମାନେ ଯେଉଁ ଅନୁଭୂତି ନେଇ ଫେରିଛନ୍ତି ତାହା ସେମାନଙ୍କ କ୍ୟାରିୟର ସ୍ୱପ୍ନ ସାକାର କରିବାରେ ସହାଯ୍ୟ କରିବ। “ରୋବୋଟିକ୍ସରେ ମୁଁ କ୍ୟାରିୟର କରିବାକୁ ଚାହୁଁଛି । ବିଶ୍ୱ ଦକ୍ଷତା କେନ୍ଦ୍ରର ମେକାଟ୍ରୋନ୍ସିକ୍ସରେ ଏହି ଅତ୍ୟାଧୁନିକ ବିଷୟରେ ଆମକୁ ତାଲିମ ଦିଆଯାଉଛି। ତେବେ ସିଙ୍ଗାପୁରରେ ଏ ବିଷୟରେ ମୁଁ ଅଧିକ ଜାଣିବାର ସୁଯୋଗ ପାଇଲି। ଆଗାମୀ ଦିନରେ ମୋ’ କ୍ୟାରିୟର ପାଇଁ ଏହା ବଡ଼ ସହାୟକ ହେବ”, କହନ୍ତି ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରୁ ଫେରିଥିବା ଛାତ୍ରୀ ରୋଶ୍ନୀ ସାହୁ। “ବିମାନଯୋଗେ ସିଙ୍ଗାପୁର ଯିବା ମୋ’ ପାଇଁ ପ୍ରଥମ। ସେଠାରେ ଡ୍ରୋନ୍ ଟେକ୍ନାଲୋଜି ବିଷୟରେ ଅଧିକ ଶିଖିବାକୁ ମିଳିଲା। ନିଜ ହାତରେ ଆମେ ଡ୍ରୋନ୍ ଚଲାଇଲୁ । ତା’ଛଡ଼ା ସିଙ୍ଗାପୁରର ପରିବେଶକୁ ଅତି ପାଖରୁ ଦେଖିବାର ସୁଯୋଗ ପାଇଲୁ”, କହନ୍ତି ଆଉ ଜଣେ ଛାତ୍ର ବି ସନ୍ଦୀପ ପାତ୍ର।

ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଆଇଟିଇର ଛାତ୍ରଛାତ୍ରୀଙ୍କ ସହ ମିଶିବାର ସୁଯୋଗ ପାଇଥିଲେ । ଶେଷରେ ଏହି କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଟିଇ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାର ଏବଂ ସିଙ୍ଗାପୁର ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରତିବର୍ଷ ଏହି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ କରାଯାଉଛି । ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ଭିତରୁ ପ୍ରତିବର୍ଷ ୪୦ ଜଣଙ୍କୁ ବଛାଯାଇ ଏହି କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି।

ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସ୍ଥାପନ କରାଯାଇଛି “ବିଶ୍ୱ ଦକ୍ଷତା କେନ୍ଦ୍ର’। ଏହି କେନ୍ଦ୍ରରେ “ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଏବଂ “ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ୭ଟି ଅତ୍ୟାଧୁନିକ ବିଷୟରେ ଓଡ଼ିଶାର ଯୁବପଢ଼ିଙ୍କୁ ତାଲିମ ଦିଆଯାଉଛି।

Spread the love