ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଶରତ କୁମାର ନାୟକଙ୍କୁ ଅଦାଲତରୁ ଜାମିନ

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଅଭିଯୁକ୍ତ ଶରତ କୁମାର ନାୟକଙ୍କୁ ଅଦାଲତରୁ ଜାମିନ ମିଳିଛି। କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ‌ପୋକସୋ ଅଦାଲତ ଶରତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଶରତଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଜାମିନରେ ଛାଡ ପାଇବା ପରେ ଶରତ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଅଦାଲତ ସର୍ତ୍ତାରୋପ କରିଛନ୍ତି। ଏଠାରେ ନାବାଳିକା ମୃତ୍ୟୁ ଘଟଣାକୁ ନେଇ ମାହାଙ୍ଗା ଥାନାରେ ଆଇପିସିର ଦଫା ୧୭୬, ୧୭୭, ୩୦୫, ୩୫୪-ଡି୩୮୫, ୨୦୧ ଓ ପୋକସୋ ଆଇନର ଧାରା ୧୨ରେ ମାମଲା ରୁଜୁ ହୋଇଥିଲା। ଏହାପରେ ଶରତ ଓ ଅନୁପମ ରାୟଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ଘଟଣାରେ ଏକ ଅଡିଓ ଭାଇରାଲ ନେଇ ଚର୍ଚ୍ଚା ହୋଇଥିଲା। ଏହି ଭାଇରାଲ ଅଡିଓରେ ଶରତ ନାବାଳିକାଙ୍କ ଶବର ପୋଷ୍ଟମର୍ଟମ କରା ନ ଯିବା ପ୍ରସଂଗରେ କେତେକ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ। ଏହି ଭାଇରାଲ ଅଡିଓର ସତ୍ୟାସତ୍ୟ ଯାଞ୍ଚ ପାଇଁ ଶରତଙ୍କ କଣ୍ଠସ୍ବର ନମୁନା ପରୀକ୍ଷା ଜରୁରୀ ବୋଲି ଦର୍ଶାଇ ତଦନ୍ତକାରୀ ସଂସ୍ଥା ଅଦାଲତରେ ଆବେଦନ କରିଥିଲା। ଅଗଷ୍ଟ ୩୧ରେ ଶରତଙ୍କ କଣ୍ଠସ୍ବର ପରୀକ୍ଷା (ଭଏସ ଟେଷ୍ଟ) ପାଇଁ ଅଦାଲତ ଅନୁମତି ଦେଇଥିଲେ।

Spread the love