ବିଶ୍ବବିଦ୍ୟାଳୟ କ୍ୟାମ୍ପସର ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ପାଇଁ ପୁଲିସ ହାଉସିଂ ବୋର୍ଡ ନିର୍ବାହୀ ଯନ୍ତ୍ରୀ-ରେଜିଷ୍ଟ୍ରାରଙ୍କ ସହ ଆଲୋଚନା

ଜୟପୁର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଟିମ୍ ଗତ ମାସରେ ଆସି ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ସ୍ଥାପନ ପାଇଁ ୬ଟି ସ୍ଥାନ ପରିଦର୍ଶନ କରି ନିରୀକ୍ଷଣ କରି ଫେରିଥିଲେ। ଏହି ଟିମ୍ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ରଣ୍ଡାପାଲ୍ଲୀରେ ଥିବା ୭୩.୨୩ଏକରକୁ ଚୟନ କରିଥିଲେ। ଚୟନ ହୋଇଥିବା ନୂଆ କ୍ୟାମ୍ପସ୍ ଓପୁରୁଣା କ୍ୟାମ୍ପସର ୨୪ଏକର ଏଭଳି ୯୭ଏକରରେ ବିଶ୍ବବିଦ୍ୟାଳୟର ରୁପରେଖର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ପୁଲିସ ହାଉସିଂ ବୋର୍ଡ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ପୁଲିସ ହାଉସିଂ ବୋର୍ଡର ନିର୍ବାହୀ ଯନ୍ତ୍ରୀ ଇଂ.ମଙ୍ଗୁଳି ବେହେରା ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାରଙ୍କ ସହ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପୁରୁଣା କ୍ୟାମ୍ପସ୍ ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ ଗୋଟିଏ ଛାତ୍ରୀ ନିବାସ, ଗୋଟିଏ ଛାତ୍ର ନିବାସ ନିର୍ମାଣ କରାଯିବାକୁ ଆଲୋଚନା ହୋଇଥିଲା। ପୁରୁଣା କ୍ୟାମ୍ପସରେ ସଂପୁର୍ଣ୍ଣ ରୁପେ ସ୍ନାତକ ରଖାଯିବ।

ରଣ୍ଡାପାଲ୍ଲୀ ନୂଆ କ୍ୟାମ୍ପସରେ ସଂପ୍ରତି ଏଠାରେ ପଢ଼ାଯାଉଥିବା  ୨୪ଟି ସ୍ନାତକୋତ୍ତର ସହ ଆଉ ୨୪ଟି ନୂଆ ସ୍ନାତକୋତ୍ତର , ଗବେଷଣା ଆଦି  ପାଇଁ ପୃଥକ ପୃଥକ ଭାବେ ଅତ୍ୟାଧୁନିକ ଞାନ ଶୌଳୀରେ କୋଠା ନିର୍ମାଣ କରିବାକୁ ଆଲୋଚନା ହୋଇଥିଲା। ଏହା ପରିସରରେ ପ୍ରାୟ ୨୦ଏକରରେ ବିଭିନ୍ନ ଗଛପତ୍ର ଲାଗିଥିବାରୁ ଏହାକୁ ସୁନ୍ଦର ଭାବେ ସଜାଡ଼ିବା, ଏହି ପରିସରରେ ଇନଡୋର ଷ୍ଟାଡିୟମ, ଷ୍ଟାଡିୟମ ଆଦି ନିର୍ମାଣ ପାଇଁ ଯୋଜନା କରିବାକୁ ଅଲୋଚନା ହୋଇଥିଲା। ଆଗାମୀ ଦିନରେ ପୁଣି ଏହି ୭୩.୨୩ଏକର ଜମିକୁ ପୁଣି ମାପଚୁପ କରିବା ସହ ସୁନ୍ଦର ସ୍ବାଗତ ତୋରଣ ସହ ପାଚେରୀ ଏବଂ ପୃଥକ ପୃଥକ ଭାବେ ବିଭିନ୍ନ ବିଭାଗ ଆଦିକୁ ଅତ୍ୟାଧୁନିକ ଞାନ କୌଶଳରେ ନିର୍ମାଣ କରିବାକୁ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ପୁଲିସ ହାଉସିଂ ବୋର୍ଡର ଟିମ୍ ଓ ବିଶ୍ବବିଦ୍ୟାଳୟର ଓଏସଡି ଓ ରେଜିଷ୍ଟ୍ରାରଙ୍କୁ ନେଇ ଏହି ପରିସରକୁ  ମାପଚୁପ ଓ ପ୍ରାକଃ ଆକଳନ କରି ରାଜ୍ୟ ଉଚ୍ଚଶିକ୍ଷାବିଭାଗକୁ ରିପୋର୍ଟ ପ୍ରଦାନ କ‌ଲେ ନୂଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପାଇଁ ଅନୁଦାନ ଆସିବା ସମ୍ଭାବନା ରହିଥିବା କହିଛନ୍ତି ରେଜିଷ୍ଟ୍ରାର।

Spread the love