ରାଷ୍ଟ୍ରପତିଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ବି ‘ପ୍ରାଇମ୍‌ ମିନିଷ୍ଟର୍ ଅଫ୍‌ ଭାରତ’ ବୋଲି ସମ୍ବୋଧନ କରାଯାଇଥିଲା

ନୂଆଦିଲ୍ଳୀ: ସେପ୍ଟେମ୍ବର ୯ ତାରିଖରେ ଏକ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ  ‘ଭାରତ’ ନାମ ଉଲ୍ଲେଖ କରି ନିମନ୍ତ୍ରଣପତ୍ର ମିଳିବା ପରେ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଜାଣିରଖନ୍ତୁ ଯେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପ୍ରାଇମ୍‌ ମିନିଷ୍ଟର୍ ଅଫ୍‌ ଭାରତ’ ବୋଲି ସରକାରୀ ନୋଟିଫିକେସନ୍‌ରେ ‌ଲେଖା ଯାଇଥିଲା।ଅଗଷ୍ଟ ମାସରେ ଦକ୍ଷିଣ ଆଫ୍ରିକାରେ ହେଉଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ଏବଂ ଏହା ପରେ ଗ୍ରୀସ ଗସ୍ତ କରିଥିଲେ। ଅଗଷ୍ଟ ୨୨-୨୫ରେ ଉଭୟ ଦେଶ ଗସ୍ତ ପାଇଁ ସରକାରଙ୍କ ବିଜ୍ଞପ୍ତିରେ ତାଙ୍କୁ ‘ଭାରତର ପ୍ରଧାନମନ୍ତ୍ରୀ’ ବୋଲି ଲେଖା ଯାଇଥିଲା। ଏହାବ୍ୟତୀତ ଜାତୀୟ ରାଜଧାନୀରେ ଜି-୨୦ ନେତାଙ୍କ ସମ୍ମିଳନୀ ପୂର୍ବରୁ ଭାରତୀୟ ଅଧିକାରୀଙ୍କ ପରିଚୟ ପତ୍ରରେ ‘ଭାରତ ଅଧିକାରୀ’  ବୋଲି ଲେଖା ଯାଇଥିଲା।

ସେପ୍ଟେମ୍ବର ୬-୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଂଶତମ ଏସିଆନ୍‌ ଭାରତ ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍‌) ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ। ତାଙ୍କ ଗସ୍ତର ନୋଟ୍‌ରେ ତାଙ୍କୁ ‘ପ୍ରାଇମ୍‌ ମିନିଷ୍ଟର୍ ଅଫ ଭାରତ’ ବୋଲି ଉଲ୍ଲେଖ କରାଯାଇଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଜାକର୍ତ୍ତାରେ ରହିବେ।

ଗତ କିଛି ଦିନ ହେବ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେପ୍ଟେମ୍ବର ୯ରେ ଏକ ନୈଶଭୋଜି ପାଇଁ ଜି୨୦ ନେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣପତ୍ରରେ ‘ଭାରତ’ ନାମ ଉଲ୍ଲେଖକୁ ନେଇ ଏହି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ହେବାକୁ ଯାଉଛି। ତେ‌ଣୁ କିଛି ଲୋକ ଅନୁମାନ କରୁଛନ୍ତି ଯେ ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

Spread the love