କେନ୍ଦୁଝର ଜିଲ୍ଲାରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି

ଭୁବନେଶ୍ୱର/କେନ୍ଦୁଝର, ତା.୦୮/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି କେନ୍ଦୁଝର ଜିଲ୍ଲାରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି ।

ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଶିଳାଫଳକ ସଂଯୋଗ କରାଯାଇଛି । ଦେଶର ସବୁ ଅଂଚଳରେ ଅମୃତ କଳସ ଯାତ୍ରା ଆୟୋଜନ କରାଯାଇଛି । ଓଡ଼ିଶାରେ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ରାଜ୍ୟ ସଭାପତି ମନମୋହନ ସାମଲ କେନ୍ଦୁଝର ଜିଲ୍ଲାର ମା ତାରିଣୀଙ୍କ ଦର୍ଶନ କରି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରୀ ସାମଲ ଘର ଘର ବୁଲି କଳସରେ ମାଟି ସଂଗ୍ରହ କରିଥିଲେ । କେନ୍ଦୁଝର ସହରପଡାରୁ ଏକ ବାଇକ ରାଲିରେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନ୍ତର୍ଗତ ସହରପଡା ବ୍ଲକ ଶହୀଦ ହେମନ୍ତ ମହନ୍ତ ସ୍ମୃତି ସ୍ତମ୍ଭରୁ ମାଟି ଆଣିଥିଲେ । ଏହା ପରେ ରାଜ୍ୟ ସଭାପତି ଶହୀଦ ହେମନ୍ତ ମହନ୍ତଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଘଷିପୁରାଠାରେ ଅନୁଷ୍ଠିତ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତା ବୈଠକରେ ରାଜ୍ୟ ସଭାପତି ଶ୍ରୀ ସାମଲ ଯୋଗ ଦେଇଥିଲେ ।
ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ପାକିସ୍ତାନ, ବାଙ୍ଗଲାଦେଶ, ଚୀନ, କାରଗିଲ ଯୁଦ୍ଧ ବେଳେ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
“୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରଭାବେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା । ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶ ସମୃଦ୍ଧ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା । ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା । ନାଗରିକଭାବେ ଦେଶ ପ୍ରତି ନିଜର କର୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା” କହି ଶପଥ ନେଇଥିଲେ ।
ଏହି ଅବସରରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ମହୋନ ମାଝୀ, ରାଜ୍ୟ ଉପସଭାପତି ସୁକେଶୀ ଓରାମ, ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କୁମାର କର, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହନ୍ତ ବର୍ମାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Spread the love